କଠୁଆ ୧୭।୧୦: ଜାମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ଅଗଷ୍ଟ ମାସରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ହେଲିକପ୍ଟର ରଣଜୀତ ସାଗର ଡ୍ୟାମ୍ରେ ବୁଡି ଯାଇଥିଲା। ଏହାର ପ୍ରାୟ ଦୁଇ ମାସ ପରେ ହେଲିକପ୍ଟରର ସହ ପାଇଲଟ୍ଙ୍କ ମୃତଦେହ ରବିବାର ଉଦ୍ଧାର ହୋଇଛି। ଏଥିସହ ଦୁଇ ମାସ ଧରି ଜାରି ତଲାସି ଅଭିଯାନ ପୂରା ହୋଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, କ୍ୟାପଟେନ୍ ଜୟନ୍ତ ଯୋଶୀଙ୍କ ପାର୍ଥିବ ଶରୀର ରବିବାର ଅପରାହ୍ନ ପ୍ରାୟ ୨ଟାରେ ଉଦ୍ଧାର କରାଯାଇଛି। ନିକଟ ଅତୀତରେ ସେନାର ଏହା ସବୁଠୁ ଲମ୍ବା ତଲାସି ଅଭିଯାନ ଥିଲା। ପାଇଲଟ୍ଙ୍କ ଅବଶେଷକୁ ପଠାନକୋଟ ସୈନ୍ୟ ଶିବିର ଅଣାଯାଇଛି।
ସ୍ଥଳ ସେନାର ବିମାନ ସ୍କ୍ଵାଡ୍ରନର ହେଲିକପ୍ଟର ରୁଦ୍ର ଅଗଷ୍ଟ ୩ ତାରିଖରେ ପଠାନକୋଟ୍ର ମାମୁନ ସୈନ୍ୟ ଆଡ୍ଡାରୁ ଉଡାଣ ଭରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜୋରଦାର ତଲାସି ଅଭିଯାନ ପରେ ହେଲିକପ୍ଟରର ପାଇଲଟ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିତ ସିଂହ ବାଥଙ୍କ ମର ଶରୀରକୁ ଅଗଷ୍ଟ ୧୫ରେ ଡ୍ୟାମ୍ରୁ ଉଦ୍ଧାର କରାଯାଇଥିଲା।
ଅଧିକାରୀ କହିଛନ୍ତି, ସବୁଠୁ ଲମ୍ଵା ତଲାସି ଅଭିଯାନରେ ସମଗ୍ର ଦେଶର ସେନା, ନୌସେନା, ବାୟୁସେନା, ଏନଡିଆରଏଫ, ଏସଡିଆରଏଫ, ଜାମ୍ମୁ-କାଶ୍ମୀର ପୋଲିସ, ଡ୍ୟାମ ପ୍ରାଧୀକରଣ ଏବଂ ଘରୋଇ କମ୍ପାନୀର ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଥିଲା। ଏଥିସହ ସ୍ଵତନ୍ତ୍ର ପ୍ରଶିକ୍ଷିତପ୍ରାପ୍ତ ବୁଡାଳିଙ୍କୁ ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଥିଲା।