ହସ୍ପିଟାଲ ଆଗରେ ୪ ଘଣ୍ଟା ଧରି ପଡ଼ି ରହିଲା ସରକାରୀ କର୍ମଚାରୀଙ୍କ ଶବ, ପୋଲିସର ହସ୍ତକ୍ଷେପ ପରେ ଶବ ବ୍ୟବଚ୍ଛେଦ ଗୃହରେ ରଖାଗଲା

Published By : Prameya-News7 Bureau | September 06, 2020 IST

ନୀଳଗିରି ୦୬/୦୯:  ନୀଳଗିରି ହସ୍ପିଟାଲ ପରିସରରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଶବକୁ ପୋଷ୍ଟମୋର୍ଟମ କରିବା ପାଇଁ ହସ୍ପିଟାଲ ଆଗରେ ମୃତ ଶରୀର ୪ ଘଣ୍ଟା ଧରି ପଡିରହିଥିଲା। ଯାହାକୁ ନେଇ ସର୍ବସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ ଯେ, ନୀଳଗିରି ଥାନା ସଜନାଗଡ଼ ପଂଚାୟତ ଅଧିନ ତେଣ୍ଡା ଗ୍ରାମର ଯୋଗେନ୍ଦ୍ର ସିଂଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର (୩୬) ଔପଦା ବ୍ଲକ ବଡ଼ପୋଖରୀ ଓ ଅଘିରାପଦା ପଞ୍ଚାୟତର ପିଓ ଭାବେ କାର୍ଯ୍ୟରତ ଅଛନ୍ତି। ସେ କୋଭିଡ ପାଇଁ ଟିଏମସି ଦାୟିତ୍ୱରେ ମଧ୍ୟ ଅଛନ୍ତି।  ଘରେ ଥିବା ବେଳେ ଆଜି ସେ ହଠାତ ଆସୁସ୍ଥ ଅନୁଭବ କରିଥିଲେ। ଛାତି ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୀଳଗିରି ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବାପରେ ୱାର୍ଡରେ ଭର୍ତି କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କର ଶବକୁ ପରିବାରଙ୍କୁ ହସ୍ତାନ୍ତର କରିବା ପରେ ସେ ଘରକୁ ନେଇଥିଲେ। ହେଲେ ସେ ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ କୋଭିଡ ପାଇଁ ଟିଏମସି ଦାୟୀତ୍ଵରେ ଥିବା ହେତୁ କାଳେ ତାଙ୍କର କରୋନା ସଂକ୍ରମଣ ରେ ମୃତ୍ୟୁ ହୋଇଥିବ ଏନେଇ ତାଙ୍କର ଉପରିସ୍ଥ ଅଧିକାରୀ ଶବକୁ ପୋଷ୍ଟମୋର୍ଟମ କରିବାକୁ ପରାମର୍ଶ ଦେଇଥିଲେ। ପୁଣି ଶବକୁ ଗାଁରୁ ଆଣି ନୀଳଗିରି ହସ୍ପିପିଟାଲରେ ପହଁଚିବା ପରେ ତାଙ୍କ କଥା କେହି ଶୁଣିନଥିବା ଅଭିଯୋଗ ହୋଇଛି।

ଦୀର୍ଘ ଘଣ୍ଟା ଅପେକ୍ଷା ପରେ ବି ଶବଟି ହସ୍ପିଟାଲ ପରିସରରେ ପଡି ରହିବାରୁ ରୋଗୀ ଓ ତାଙ୍କ ସଂପର୍କୀୟ ଅସନ୍ତୋଷ ପ୍ରକାଶ କରିଥିଲେ।  ଅପରାହ୍ନ ୫ ଟାରେ ଶିଶୁ ବିଶେଷଜ୍ଞ ଡାକ୍ତର ମୃତକଙ୍କ ପରିବାରଙ୍କୁ ପୋଲି ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଜଣେ ଡାକ୍ତରଙ୍କ ଚିକିତ୍ସା ବେଳେ ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ପୁଣି ପୋଷ୍ଟମୋର୍ଟମ ପାଇଁ  ଉପରିସ୍ଥ ଅଧିକାରୀ କିମ୍ବା ପୋଲିସର ହସ୍ତକ୍ଷେପ ଆବଶ୍ୟକ ବୋଲି କହିଥିଲେ।

ପରେ ମୃତକଙ୍କ ପରିବାର ନୀଳଗିରି ଥାନାରେ ଶବଟିର ପୋଷ୍ଟମୋର୍ଟମ ପାଇଁ ଇଛୁକ ଥିବା ଲିଖିତ ଦେବାପରେ ପୋଲିସ ଶବଟିକୁ ଶବ ବ୍ୟବଚ୍ଛେଦ ଗୃହକୁ ଆଣି ରଖିଛି। ଆସନ୍ତାକାଲି ପୋଷ୍ଟମୋର୍ଟମ ହେବ ବୋଲି ଜଣାପଡିଛି। ଜଣେ ସରକାରୀ କର୍ମଚାରୀ ହୋଇଥିବା ବେଳେ ତାଙ୍କ ପାଇଁ ନୀଳଗିରି ଉପଜିଲ୍ଲାପାଳ ମଧ୍ୟ ଫୋନ ମାଧ୍ୟମରେ ଶବଟିର ପୋଷ୍ଟମୋର୍ଟମ କରିବାପାଇଁ କହିବା ପରେ ମଧ୍ୟ ଶବଟି ୪ ଘଣ୍ଟା ଧରି ପଡିରହିବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.