ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ବିଜେପି ନେତାଙ୍କ ଝିଅଙ୍କ ମୃତଦେହ, ଆଖି ତାଡି ନେଇଗଲା ଅଭିଯୁକ୍ତ

Published By : Prameya-News7 Bureau | June 09, 2021 IST

ରାଞ୍ଚି ୦୯।୦୬: ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ଝିଅର ମୃତଦେହ। ଝାଡଖଣ୍ଡ ପଲାମୁ ଜିଲ୍ଲା ଲାଲିମାଟି ଜଙ୍ଗଲେ ୧୬ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରିଛି ଝାଡଖଣ୍ଡ ପୋଲିସ। ହେଲେ ଝିଅଙ୍କ ଆଖି ଖୋଳି ନିଆଯାଇଥିବା ଦେଖିବାକୁ ମିଳିଛି। ସବୁଠୁ ବଡ କଥା ମୃତକ ନାବାଳିକା ହେଉଛନ୍ତି ସ୍ଥାନୀୟ ବିଜେପି ନେତାଙ୍କ ଝିଅ।

ଝିଅଟିକୁ କିଏ ହତ୍ୟା କରିବା ପରେ ତାର ଆଖି ଖୋଳି ନେବା ପରେ ତାଙ୍କୁ ଗଛରେ ଟାଙ୍ଗି ଦିଆଯାଇଛି ବୋଲି ପୋଲିସ ସନ୍ଦେହ କରୁଛି। ମୃତ ନାବାଳିକା ଦଶମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ସେ ପାଙ୍କି ଥାନା ଅନ୍ତର୍ଗତ ବୁଦ୍ଧବିହାର ଗାଁର ଜଣେ ବିଜେପି ନେତାଙ୍କ ଝିଅ ବୋଲି ସୂଚନା ମିଳିଛି। ବିଜେପି ନେତାଙ୍କର ୫ ପିଲା ମଧ୍ୟରୁ ସେ ବଡ଼ ଝିଅ ଥିଲେ। ବୁଧବାର ସନ୍ଧ୍ୟାରେ ନାବାଳିକାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ତେବେ ଘଟଣା ସ୍ଥଳରେ ଜବତ ହୋଇଥିବା ଏକ ମୋବାଇଲ୍‌ରୁ ମିଳିଥିବା କଲ୍‌ ରେକର୍ଡ ଡାଟାକୁ ଆଧାର କରି ପ୍ରଦୀପ କୁମାର ଧନୁକ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।  ପ୍ରଦୀପ ଜଣେ ବିବାହିତ ବ୍ୟକ୍ତି ଏବଂ ସେ ଏହି ହତ୍ୟା ଘଟଣାରେ ସାମିଲ ହୋଇ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

ପରିବାର ଲୋକଙ୍କ ସୂଚନା ଅନୁସାରେ, ଜୁନ ୭  ସକାଳ ୧୦ଟାରେ ନାବାଳିକା କୌଣସି କାରଣରୁ ଘରୁ ବାହାରିଯିବା ପରେ ଆଉ ଫେରିନଥିଲେ। ଘରର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ବହୁ ଖୋଜାଖୋଜି କରିବା ପରେ ୪୮ ଘଣ୍ଟା ପରେ ଲାଲିମାଟି ଜଙ୍ଗଲରୁ ନାବାଳିକାର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପୋଲିସର ସନ୍ଦେହ ଅନୁଯାୟୀ ଝିଅଟିକୁ ହତ୍ୟା କରିବା ପୂର୍ବରୁ ଖୁବ୍ ମାଡ଼ ମରାଯିବା ସହ ଆଖି ଖୋଳି ନିଆଯାଇଛି। ଏହାପରେ ସୁଇସାଇଡ୍ ରୂପ ଦେବାକୁ ତାକୁ ଗଛରେ ଟାଙ୍ଗି ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମେଦିନିନଗରରେ ଥିବା ମେଦିନି ରାୟ ମେଡିକାଲ କଲେଜକୁ ପଠାଇଥିଲା। ଏହାପରେ ସନ୍ଧ୍ୟାରେ ନାବାଳିକାର ଅନ୍ତିମ ସଂସ୍କାର କରାଯାଇଛି। ତେବେ ପରିବାର ଲୋକ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.