ଓଡିଶା ବିଶ୍ଵ ବିଦ୍ୟାଳୟ ଅଧିନିୟମ ସଂଶୋଧନ ନିଷ୍ପତିକୁ ବିଜେପିର ବିରୋଧ, ପାର୍ଟି କହିଲା- କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ
11/09/2020 at 3:59 PM

ବରଗଡ ୧୧।୦୯: ଓଡିଶା ସରକାରଙ୍କର ପ୍ରସ୍ତାବିତ ଓଡିଶା ବିଶ୍ଵ ବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ–୧୯୮୯ ଏବଂ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଇନ–୨୦୦୫ର ପ୍ରତ୍ୟାହାର ବିଶ୍ଵବିଦ୍ୟାଳୟ ଗୁଡିକର ସ୍ଵାୟତ୍ତତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ତକୁ ମଧ୍ୟ ପ୍ରତିକୂଳ ଭାବେ ପ୍ରଭାବିତ କରିବ। ଏହି ଅଧିନିୟମରେ ପ୍ରାଧ୍ୟାପକମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ଥିବା ସହ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ। ଏହାର ପ୍ରତିବାଦରେ ଆଜି ଭାରତୀୟ ଜନତା ପାର୍ଟି(ବିଜେପି) ରଜ୍ୟବ୍ୟାପୀ ଆନ୍ଦୋଳନ କରିଛି। ଏହି କ୍ରମରେ ବରଗଡରେ ମଧ୍ୟ ଜିଲ୍ଲା ବିଜେପି ତରଫରୁ ବିରୋଧ ପ୍ରଦର୍ଶନ କରାଯାଇଛି।
ବିଜେପି ଅଭିଯୋଗ କରିଛି ବିଧାୟିକା(ଲେଜିସଲେଚର)ଙ୍କୁ ଉତ୍ତରଦାୟିତ୍ଵରୁ ମଧ୍ୟ ବିଶ୍ଵ ବିଦ୍ୟାଳୟ ଗୁଡିକୁ ବାଦ୍ ଦିଆଯାଇଛି। ଏହା ଦ୍ଵାରା ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ ଓ ବିଶ୍ଵ ବିଦ୍ୟାଳୟ ଗୁଡିକ ସାଧାରଣ କଲେଜ ଭଳି କାମ କରିବେ। ଛାତ୍ର, ସମାଜ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଚିନ୍ତାଜନକ ବିଷୟ। ଏଣୁ ଏହି ଅଧ୍ୟାଦେଶ ଆଣି ରାଜ୍ୟସରକାର ଓଡିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢେଇବା ସହ ଉଚ୍ଚଶିକ୍ଷାର ମାନଦଣ୍ତକୁ ହ୍ରାସ କରାଇବା ପାଇଁ ଷଡଯନ୍ତ୍ର ରଚିଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ବିରୋଧ କରାଯିବା ସହ ଏହି ପଦକ୍ଷେପ ସଂପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ବୋଲି ଯୁକ୍ତି ବଢା ଯାଇଛି।
ଏହାକୁ ନେଇ ଭାରତୀୟ ଜନତା ପାଟି ତରଫରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେଉଥିବା ବେଳେ ବରଗଡ ଜିଲ୍ଲା ମୁଖ୍ୟଳୟରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ବରଗଡ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରିତେଶ ବହିଦାରଙ୍କ ନେତୃତ୍ବରେ ଯୁବ ମୋର୍ଚ୍ଚା କର୍ମୀ ମାନେ ଏହି ନିୟମ ବିରୁଦ୍ଧରେ ଏକ ଦାବି ପତ୍ର ମୁଖ୍ୟ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ନିମନ୍ତେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଙ୍କ ଜରିଆ ରେ ପ୍ରଦାନ କରିଛନ୍ତି।