ସିବିଆଇର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା ବିଜେଡି, କହିଲା- କେବଳ ନିର୍ବାଚନ ପୂର୍ବରୁ ଚେଇଁ ଉଠୁଛି ଏହି ତଦନ୍ତକାରୀ ସଂସ୍ଥା

Published By : Prameya-News7 Bureau | September 18, 2020 IST

ଭୁବନେଶ୍ଵର ୧୮।୦୯: ଦୀର୍ଘ ଦିନର ନିରବତା ପରେ ସକ୍ରିୟ  ହୋଇ ଉଠିଛି ସିବିଆଇ। ଚିଟଫଣ୍ଡ ଦୁର୍ନୀତି ତଦନ୍ତ କରୁଥିବା ସିବିଆଇ ଆଜି ବିଧାୟକ ଦେବୀ ମିଶ୍ରଙ୍କ ଘରେ ରେଡ୍ କରିଛି। ସିବିଆଇର ଏହି ଅଚାନକ ରେଡ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ବିଜେଡି ସିବିଆଇର ଏହି ରେଡ୍‌କୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଚିଟ୍‌ଫଣ୍ଡ ଦୁର୍ନୀତି ଓ ସିବିଆଇକୁ ନେଇ ରାଜନୀତି ପୁଣି ଥରେ ତେଜି ଉଠିଛି।  ଏହାକୁ ନେଇ ବିଜେଡି  ପ୍ରତିକ୍ରିୟାଶୀଳ ହୋଇ ଉଠିଛି।

ଗଲା ୭ବର୍ଷ ଭିତରେ ମଝିରେ ମଝିରେ ସିବିଆଇର ଏଭଳି ହଠାତିଆ ଆକ୍ସନ ସାମ୍ନାକୁ ଆସେ । ତେବେ ଏଭଳି ଅସମୟରେ ପୁଣି କରୋନା ମହାମାରୀ ବେଳେ  ହଠାତ୍‌ ସିବିଆଇର ଏଭଳି ରେଡ୍‌କୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ବିଜୁ ଜନତା ଦଳ ମୁଖପାତ୍ର ଲେନିନ ମହାନ୍ତି ଶାଣିତ ସ୍ଵରରେ ସିବିଆଇର ଏହି କାର୍ଯ୍ୟାନୁଷ୍ଠାନକୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ଏବଂ କାହାରି ଇସାରାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) କାର୍ଯ୍ୟ କରୁଛି।

ସେ କହିଛନ୍ତି ଏକ ସିବିଆଇର ତଦନ୍ତରେ ଗୋଟିଏ ପାଟର୍ଣ୍ଣ ଦେଖିବାକୁ ମିଳିଛି। ଯେ କୌଣସି ଉପ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ  କିମ୍ବା ପଞ୍ଚାୟତ ନିର୍ବାଚନ ତା ପୂର୍ବରୁ ସିବିଆଇ ତଦନ୍ତ କରୁଛି, ରେଡ୍ ମାରୁଛି ଏବଂ ନୋଟିସ୍ ଜାରି କରୁଛି। ଓଡିଶାବାସୀ ଏହା ଦେଖି ଆଶ୍ଚର୍ଯ୍ୟଚକିତ ଯେ, କେବଳ ଶୋଇ ରହୁଥିବା ସିବିଆଇ ନିର୍ବାଚନ ପୂର୍ବରୁ କେମିତି  ଚେଇଁ ଉଠୁଛି ବୋଲି ଲେନିନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଘରେ  ଆଜି ସିବିଆଇ ରେଡ୍‌ ମାରିଛି । ସି-ସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ପକ୍ଷରୁ ଦେବୀ ମିଶ୍ରଙ୍କ ଭୁବନେଶ୍ବର ୟୁନିଟ୍‌-୧ରେ ଥିବା ସରକାରୀ ବାସଭବନ ସହିତ ନରସିଂହପୁର, ଡମକଟାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଛି । ସି-ସୋର୍‌ ମହାନଦୀ ପର୍ଯ୍ୟଟନ ପ୍ରକଳ୍ପକୁ ନେଇ ଖୋଳତାଡ଼ କରୁଥିବା ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ୨ଘଣ୍ଟା ଧରି ଜେରା କରିବା ସହ ତାଙ୍କ ଘରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ୨୦୧୩ ମସିହାରୁ ତଦନ୍ତ ଚଳାଇଥିବା ସିବିଆଇ ପୂର୍ବରୁ ମଧ୍ୟ ଦେବୀ ମିଶ୍ରଙ୍କୁ ପଚରା ଉଚରା କରିଥିଲା । ତେବେ ଆଜିର ରେଡ୍‌ ପରେ ପୂର୍ବତନ ମନ୍ତ୍ରୀଙ୍କ କହିବା କଥା ସି-ସୋରକୁ  ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ଦିଆଯିବା ବେଳେ ସେ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ତେବେ ଏ ନିଷ୍ପତି ତାଙ୍କର ନିଜସ୍ବ ନଥିଲା, ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିଲା । ତେବେ ସିବିଆଇର ତଦନ୍ତରେ ସେ ଗଲା ୭ବର୍ଷ ହେଲା ସହଯୋଗ କରିଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.