ଭୁଲ୍ ପାର୍ଶ୍ଵରେ ପାର୍କିଂ କରିଥିଲା କୋଇଲା ବୋଝେଇ ଟ୍ରକ, ପିଟି ହେଲା ବାଇକ, ଆରୋହୀ ମୃତ, ପୋଲିସର ନିଷ୍କ୍ରିୟତା ବିରୋଧରେ ଲୋକଙ୍କ ୧୨ ଘଣ୍ଟିଆ ଧାରଣା

Published By : Prameya-News7 Bureau | January 17, 2022 IST

ଭୁବନେଶ୍ଵର ୧୭।୦୧: ଅନୁଗୁଳ ଜିଲ୍ଲା ଗୋଡିବନ୍ଧ ଶିବରାମପୁରରେ ସୋମବାର ଭୋର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ରାସ୍ତାର ଭୁଲ୍ ପାର୍ଶ୍ଵରେ ଛିଡା ହୋଇଥିବା କୋଇଲା  ବୋଝେଇ ଟ୍ରକରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରତାପ ବେହେରା(୪୫)। ତେବେ ଘଟଣାସ୍ଥଳକୁ ପୋଲିସ ନଆସିବାରୁ ଏହାର ପ୍ରତିବାଦରେ ଲୋକେ ୧୨ ଘଣ୍ଟିଆ ଧାରଣା ଦେଇଛନ୍ତି।

ମୃତକ ପ୍ରତାପ ଢେଙ୍କାନାଳ ପରଜଙ୍ଗ ଥାନା ଅନ୍ତର୍ଗତ କାଦୋପଡା ଗାଁର ବାସିନ୍ଦା। ସେ ତାଳଚେର ସ୍ଥିତ ଭରତପୁର ମାଇନ୍ସରେ ଅପରେଟର ଭାବେ କାର୍ଯ୍ୟରତ ଥିଲେ। ତେବେ ରବିବାର ରାତିରେ ନାଇଟ୍ ସିଫ୍ଟ ସାରି ସୋମବାର ଭୋର ସକାଳ ୫ଟାରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ହେଲେ ଗୋଡିବନ୍ଧ ଶିବରାମପୁରରେ ରାସ୍ତାରେ ଭୁଲ୍ ପାର୍ଶ୍ଵରେ ଏକ କୋଇଲା ବୋଝେଇ ଟ୍ରକ ଛିଡା ହୋଇଥିଲା। କିନ୍ତୁ ଟ୍ରକର ବ୍ୟାକ୍ ଲାଇଟ୍ କିମ୍ବା ରେଡିୟମ କିଛି ନଥିଲା। ଫଳରେ ଅନ୍ଧାର ରାତିରେ ପ୍ରତାପ ଦେଖି ପାରିନଥିଲେ ଏବଂ ବାଇକ ସହ ଟ୍ରକ ପଛ ପଟେ ପିଟି ହୋଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣାସ୍ଥଳକୁ ପୋଲିସ ନଆସିବା ଏବଂ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ଥାନୀୟ ଲୋକେ ଧାରଣା ଦେବା ସହ ରାସ୍ତାରୋକ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.