ଟ୍ରମ୍ପଙ୍କ ଆଦେଶକୁ ଖାରଜ କଲେ ବାଇଡେନ୍ ପ୍ରଶାସନ, ଜାରି ରହିବ ପ୍ରତିବନ୍ଧକ

Published By : Prameya-News7 Bureau | January 19, 2021 IST

ୱାଶିଂଟନ୍,୧୯/୦୧: କରୋନା କାରଣରୁ ୟୁରୋପୀୟ ଦେଶ ସମୂହ ଏବଂ ବ୍ରାଜିଲ୍ ପାଇଁ ଲଗାଯାଇଥିବା ବିମାନ ଚଳାଚଳ ପ୍ରତିବନ୍ଧକକୁ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ସୋମବାର ହଟାଇ ଦେଇଛନ୍ତି । ଏହା ଜାନୁଆରୀ ୨୬ ତାରିଖରୁ ଲାଗୁ କରିଯିବା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । କିନ୍ତୁ ବାଇଡେନ୍ ଶପଥ ନେବା ପୂର୍ବରୁ ତାଙ୍କ ପ୍ରଶାସନ ଏହା ଉପରେ ରୋକ ଲାଗାଇଛନ୍ତି । ଅର୍ଥାତ ଏହି ପ୍ରତିବନ୍ଧକ ଆଗକୁ ଜାରି ରହିବ।


ସୋମବାର ଏକ ଆଦେଶନାମା ଜାରି କରି ଟ୍ରମ୍ପ ସବୁ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଥିଲେ । ଏଥିରେ କୁହାଯାଇଥିଲା ଯେ ଜାନୁଆରୀ ୨୬ ତାରଖ ପର ଠାରୁ କୌଣସି ଯାତ୍ରା ଉପରେ ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ହ୍ୱାଇଟ୍ ହାଉସ୍ର ପ୍ରେସ୍ ସଚିବ ଜେନ୍ ସାକି ଏ ନେଇ ସୋମବାର ରାତିରେ ଟ୍ୱିଟ୍ କରି ଏହାର ଉତ୍ତର ରଖିଥିଲେ । ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି ଯେ, କରୋନା ଭାଇରସ୍ ବିପଦ ଏ ପର୍ଯ୍ୟନ୍ତ ଟଳି ନାହିଁ । ଏହି ସମୟରେ ଅନ୍ତରାଷ୍ଟ୍ରୀୟ ଯାତ୍ରା ଉପରୁ ପ୍ରତିବନ୍ଧକ ଉଠାଇବା ସମ୍ଭବ ନୁହେଁ । ତେଣୁ ବାଇଡେନ୍ ପ୍ରଶାସନ ଏହାକୁ ଉଠାଇବେ ନାହିଁ।


ତେବେ ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥଗ୍ରହଣ ସମାରୋହକୁ ନଜରରେ ରଖି ସିକ୍ରେଟ୍ ସର୍ଭିସ୍ ଓ ୟୁଏସ ନ୍ୟାଶନାଲ ଗାର୍ଡଙ୍କୁ ହ୍ୱାଇଟ୍ ହାଉସ୍ର ଚାରିପଟେ ମୁତୟନ କରାଯାଇଛି । କୌଣସି ପ୍ରକାର ହିଂସାକୁ ପ୍ରତିହତ କରିବାକୁ ମଲ୍ଟି ଏଜେନ୍ସି କମାଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୨୪ ଘଣ୍ଟା ଓ୍ୱାଶିଂଟନ ସିଟି ଉପରେ କଡା ନଜର ରଖାଯାଇଛି।


ଗତ ସପ୍ତାହରେ ୟୁଏସ କ୍ୟାପିଟଲ ବିଲ୍ଡିଂରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ସେହିପରି ବାଇଡେନଙ୍କ ଶପଥଗ୍ରହଣ ସମାରୋହରେ ମଧ୍ୟ ହିଂସା ଆଶଙ୍କା ରହିଛି । ଏହାକୁ ନେଇ ଟ୍ରମ୍ପ ନିଜେ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପାଇଁ ଆମେରିକାବାସୀ କ୍ଷୁବ୍ଘ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.