ରନ ନେବା ବେଳେ ଛାତିରେ ବାଜିଲା ବ୍ୟାଟ୍, କ୍ରିଜରେ ଟଳି ପଡିଲେ ଯୁବକ

Published By : Prameya-News7 Bureau | November 22, 2020 IST

ଖଲ୍ଲିକୋଟ ୨୨/୧୧: ହସ ଖୁସିରେ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଚାଲି ଥିଲା। ଦର୍ଶକେ ତାଳି ମାରି ବ୍ୟାଟ୍ସମ୍ୟାନଙ୍କ ଚଉକା ଛକାକୁ ଉପଭୋଗ କରୁଥିଲେ। ଠିକ ଏହି ସମୟରେ ଘଟିଲା ଦୁର୍ଘଟଣା। ବ୍ୟାଟସମ୍ୟାନ କ୍ରିଜରେ ରନ ନେବାକୁ ଦୌଡୁ ଥିବା ବେଳେ ଅସାବଧାନତା ବଶତଃ ଛାତିରେ ବ୍ୟାଟର ହ୍ୟାଣ୍ଡଲଟି ବାଜି ଯାଇଥିଲା ଏବଂ ସେ ତଳେ ପଡି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବୁରୁଝୁରି ଗ୍ରାମରେ ଘଟିଛି।

ମୃତ୍ୟୁ ଘଟିଥିବା ଯୁବକ ଜଣକ ହେଲେ  ଚିଙ୍ଗୁଡ଼ିଖୋଲ ଗ୍ରାମର  ନାରାୟଣ ଗୌଡ଼। ସୂଚନା ଅନୁଯାୟୀ ବେଗୁନିଆପଡା ଫାଣ୍ଡି ବୁରୁଝୁରି ଗ୍ରାମରେ ଆଜି କ୍ରିକେଟ୍ ମ୍ୟାଚ୍ ଚାଲିଥିଲା । ନାରାୟଣ ଗୌଡ଼(୩୦) ବ୍ୟାଟିଂ କରୁଥିଲେ। ସେ ଏକ ରନ ନେବା ପାଇଁ କ୍ରିଜରେ ଦୌଡୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ସୁମଣ୍ଡଳ ମେଡ଼ିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.