ଗିରଫ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ସେପଟେ ବ୍ରହ୍ମପୁରରେ ପାଣିଗ୍ରାହୀଙ୍କ ଲିଙ୍କ୍‌କୁ ନେଇ ତଦନ୍ତ ଜୋରଦାର

Published By : Prameya-News7 Bureau | December 12, 2020 IST

ଭୁବନେଶ୍ଵର/ବ୍ରହ୍ମପୁର ୧୨।୧୨:  ଟାଟା ନିଯୁକ୍ତି ଠକେଇ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଗୋଟିଏ ରାତିର ଜେରା ପରେ ସାମ୍ନାକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । କହିଛନ୍ତି ଏହି ଘଟଣାରେ ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ସାମ୍ନାକୁ ଆସି ଅଭିଯୋଗ କରନ୍ତୁ। ସେପଟେ ବ୍ରହ୍ମପୁରରେ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍‌କୁ ନେଇ ଛାନଭିନ୍‌କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍।

ଆକାଶ ପାଠକଙ୍କୁ ଘନଘନ ଜେରା ଚଳାଇଛି କ୍ରାଇମବ୍ରାଞ୍ଚ । ଗୋଟିଏ ରାତିର ମାରାଥନ ଜେରା ପରେ ଆକାଶ ପାଠକଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ । ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗଲା ସେପ୍ଟେମ୍ବର ୨୩ ତାରିଖରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶ ପାଠକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଟାଟାରେ ନିଯୁକ୍ତି ନେଇ ମୋଟ ୬ଟି ଏତଲା ହୋଇଥିବା ବେଳେ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି କହି ଠକୁଥିଲେ।

ଟାଟାର ଜାଲ୍ ଆଇକାର୍ଡ଼, ଭିଜିଟିଂ କାର୍ଡ଼ ଓ ?ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ବେକାର ଯୁବକ ଯୁବତୀଙ୍କୁ  ଚାକିରି କରାଇଦେବାକୁ କହି ବ୍ୟାପକ ଅର୍ଥ ଆଦାୟ କରୁଥିଲେ ।ଏଥିରେ ଆକାଶଙ୍କୁ ସହାୟତା କରୁଥିଲେ ତାଙ୍କର ଭାବି ଶ୍ବଶୂର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କର କିଛି ଅନୁଗତ । ଅନେକ  ଚାକିରୀ ଆଶାୟୀ  ଅର୍ଥ ଦେଇଥିଲେ ମଧ୍ୟ ଭୟରେ ମୁହଁ ଖୋଲୁନାହାନ୍ତି । ତେଣୁ ଏବେ ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିବାକୁ ଅପିଲ୍ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସେପଟେ ବ୍ରହ୍ମପୁରରେ ତନାଘନାକୁ ତେଜ୍ କରିଛି କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ । ଆକାଶଙ୍କ ଦ୍ବାରା ହୋଇଥିବା ଠକେଇରେ ସାମିଲ ଥିବା ତାଙ୍କର ଭାବି ଶ୍ବଶୂର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ରେ ଯେଉଁମାନେ ବି ଅଛନ୍ତି ସମସ୍ତଙ୍କୁ ସ୍କାନରରେ ରଖିଛି କ୍ରାଇମବ୍ରାଞ୍ଚ । ପ୍ରଦୀପ ପାଣିଗ୍ରାହୀଙ୍କ ଅତି ଖାସ୍ କୁହାଯାଉଥିବା ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ କମ୍ବୁ ପାଣି ଏବଂ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଟିମ୍ । ବସନ୍ତଙ୍କ ପୁତୁରାକୁ ଟାଟାରେ ଚାକିରି କରାଇଦେବାକୁ କହି ବିଧାୟକଙ୍କ ଭାଇ ଦେଢ଼ମାସ ତଳେ କାଗଜପତ୍ର ମାଗିଥିବା, ବୋରିଗାଁ ସରପଞ୍ଚ  ବସନ୍ତ ସାହୁ ଅଭିଯୋଗ କରିଥିବା କୁହାଯାଉଛି ।

ଗୋଟେପଟେ ପୁନେରେ ଅଫିସ ଖୋଲି ଆକାଶ ପାଠକ ଜାଲ ନିଯୁକ୍ତି ପତ୍ର ବାଣ୍ଟୁଥିବା ବେଳେ ଅନ୍ୟପଟେ ଆକାଶ ଟାଟା ମୋଟର୍ସରେ ଏମଡି ଅଛନ୍ତି ବୋଲି କହି ବୁଲୁଥିଲେ  ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।  ଆଉ ବିଧାୟକଙ୍କ କଥାକୁ ବିଶ୍ବାସ କରି ଚାକିରି ଆଶାୟୀମାନେ ନିଯୁକ୍ତି ଆଶାରେ ଆକାଶଙ୍କୁ ବିପୁଳ ଅର୍ଥ ଦେବାକୁ ପଛାଉନଥିଲେ । ଆକାଶଙ୍କ ପିଏ ଡେଭିଡ୍‌ ପିଟରଙ୍କୁ ଜେରା ପରେ ଏସବୁ କଥା ସାମ୍ନାକୁ ଆସିଛି ।  ଆଉ ଏବେ  ଆକାଶ ପାଠକଙ୍କ ଠାରୁ ସତ ଓଗାଳିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.