ସୋପିଆନ ଗୁଳି ବିନିମୟରେ ନିହତ ଲୋକ ଶ୍ରମିକ ଥିଲେ, ଆତଙ୍କୀ ନୁହେଁ ? ସେନା ଯବାନଙ୍କ ବିରୋଧରେ ଦେଲା କାର୍ଯ୍ୟାନୁଷ୍ଠାନ ଆଦେଶ
18/09/2020 at 9:01 PM

ଶ୍ରୀନଗର ୧୮।୦୯: ଭାରତୀୟ ସେନା ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଜୁଲାଇ ୧୮ରେ ହୋଇଥିବା ଗୁଳି ବିନିମୟ ମାମଲାରେ କାର୍ଯ୍ୟାନୁଷ୍ଠାନ ଆଦେଶ ଦେଇଛି। ଭାରତୀୟ ସେନା ପ୍ରଥମ ଦୃଷ୍ଟତାରୁ ଜାଣିବାକୁ ପାଇଛନ୍ତି ଯେ, ଏହାର ଯବାନ କାଶ୍ମୀରର ସୋପିଆନ ଜିଲ୍ଲାରେ ହୋଇଥିବା ଗୁଳି ବିନିମୟରେ ସଶସ୍ତ୍ର ସେନା ବିଶେଷାଧିକାର ଆଇନ(ଅଫସ୍ପା) ଆଧାରରେ ମିଳିଥିବା ଶକ୍ତିର ଉଲ୍ଲଂଘନ କରିଛନ୍ତି। ଏହି ସମ୍ବନ୍ଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଅମାଶିପୋରାରେ ପ୍ରାଣ ହରାଇଥିବା ଲୋକ ଆତଙ୍କବାଦୀ ନଥିବା ଦାବି କରାଯାଇଥିଲା ଏବଂ ମୃତକଙ୍କ ପରିବାର ଲୋକ କହିଥିଲେ ଯେ, ଏହି ସବୁ ଲୋକ ରାଜୌରୀର ଶ୍ରମିକ ଥିଲେ। ଏହି ମାମଲାରେ ବିବାଦ ହେବା ପରେ ସେନା ତଦନ୍ତ ଆଦେଶ ଦେଇଥିଲେ।
ସୋପିଆନର ଅମାଶିପୋରା ଅଞ୍ଚଳରେ ଜୁଲାଇ ୧୮ରେ ହୋଇଥିବା ଗୁଳି ବିନିମୟରେ ତିନି ଆତଙ୍କବାଦୀ ନିପାତ ହୋଇଥିବା ଦାବି କରାଯାଇଥିଲା। ଶ୍ରୀନଗରରେ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ନୈତିକ ଆଚରଣ ପାଇଁ ପ୍ରତିବଦ୍ଧ। ସେନା ତରଫରୁ ସାମାଜିକ ଗଣମାଧ୍ୟମରେ ସାମ୍ନାକୁ ଆସିଥିବା ରିପୋର୍ଟ ପରେ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ରିପୋର୍ଟରେ ଦାବି କରାଯାଇଥିଲା ଯେ, ଜାମ୍ମୁର ରାଜୌରୀ ଜିଲ୍ଲାରେ ରହୁଥିବା ତିନି ବ୍ୟକ୍ତି ଅମଶିପୋରାରୁ ନିଖୋଜ ହୋଇଥିଲେ।

ସୂତ୍ର ଅନୁଯାୟୀ, ତିନିଜଣ ସେନାର ଗୁଳି ବିନିମୟରେ ପ୍ରାଣ ହରାଇଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଆତଙ୍କବାଦ ସହ ସେମାନଙ୍କର କୌଣସି ସଂପର୍କ ନଥିାଲ। ସେମାନେ ସମସ୍ତେ ଶ୍ରମିକ ଥିଲେ। ଆତଙ୍କବାଦୀ ଭାବେ ସେନା ଗୁଳିରେ ତିନି ଜଣ ପ୍ରାଣ ହରାଇଛନ୍ତି। ସମସ୍ତଙ୍କ ଡିଏନଏ ନମୂନା ମିଳିବା ପରେ ତିନି ଜଣଙ୍କ ଅନ୍ତିମ ସଂସ୍କାର କରାଯାଇଛି। ହେଲେ ଏନକାଉଣ୍ଟରକୁ ନେଇ ବିବାଦ ଆରମ୍ଭ ହେବା ପରେ ଭାରତୀୟ ସେନା ଏହାର ତଦନ୍ତ ଆଦେଶ ଦେଇଛନ୍ତି। ଚାରି ସପ୍ତାହରେ ତଦନ୍ତ ସାରିବାକୁ କୁହାଯାଇଛି।