ଆଗେଇ ଆସିଲେ ସଶସ୍ତ୍ର ବଳ: କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଇଲେ ୮୫୦୦ ଚିକିତ୍ସକ ଓ ୯୦୦୦ ଶଯ୍ୟା

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ ତମଲିଗି ଜମାତଙ୍କ ମରକଜ  ଧାର୍ମିକ ସଭା ସମଗ୍ର ଦେଶବାସୀଙ୍କୁ ଚିନ୍ତାରେ ପକାଇଛି। ଏହା ମଧ୍ୟରେ ଦେଶର ସେନା ମଧ୍ୟ କରୋନା ମୁକାବିଲା ପାଇଁ ଆଗକୁ ଆସିଛନ୍ତି। ଦେଶରେ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ଆର୍ମ୍‌ଡ ଫୋର୍ସ ସମଗ୍ର ଦେଶରେ ୯୦୦୦ ଶଯ୍ୟା ଏବଂ ୮୫୦୦ରୁ ଅଧିକ ଡାକ୍ତର ଓ ସହାୟକ କର୍ମଚାରୀଙ୍କୁ ପ୍ରସ୍ତୁତ କରି ରଖିଛି। ଅନ୍ୟପଟେ ୨୩ଟି ଆଇଆଇଟିରେ ଜେଇଇ ଆଡଭାନ୍ସର ଆଡମିଶନକୁ  ଘୁଞ୍ଚା ଯାଇଛି।

ଅଧିକାରୀ କହିଛନ୍ତି ଯେ, ବଢୁଥିବା ସଂକ୍ରମିତଙ୍କ ମୁକାବିଲା ପାଇଁ ଏନସିସିର ପ୍ରାୟ ୨୫୦୦୦ ସ୍ଵଂୟସେବକଙ୍କୁ ପ୍ରସ୍ତୁତ କରି ରଖାଯାଇଛି। ମହାମାରୀର ମୁକାବିଲା ପାଇଁ ସେନାଙ୍କ ପଦକ୍ଷେପ ଉପରେ ପ୍ରତି ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ଵାରା ସମୀକ୍ଷା ପରେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, କରୋନା  ଭାଇରସ୍‌ ରୋଗୀଙ୍କ ଚିକିତ୍ସା ପାଇଁ ୯୦୦୦ରୁ ଅଧିକ  ହସ୍ପିଟାଲ୍  ବେଡ୍ ଓ ୮୫୦୦ରୁ ଅଧିକ ଚିକିତ୍ସକ ଓ ଚିକିତ୍ସା କର୍ମୀଙ୍କ ଉପଲବ୍ଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ୧୬୩୭ ମାମଲା ସାମ୍ନାକୁ ଆସିଛି। ଏହି ରୋଗରୁ ୧୩୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ମୋଟ୍ ୪୯ ଜଣ  ବିଦେଶୀ ଅଛନ୍ତି। ୩୯ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.