ଚାଷୀ ସଂଗଠନ ଉପରେ ସୁପ୍ରିମକୋର୍ଟ ଖପ୍ପା, କହିଲେ- ଦିଲ୍ଲୀ ଚାରିପଟେ ଜାମ୍ ଲଗାଇବା ଏବେ କଣ ସହର ଭିତରକୁ ଆସିବାକୁ ଚାହୁଁଛନ୍ତି

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୦୧।୧୦: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ଉପରେ ସୁପ୍ରିମକୋର୍ଟ ଖପ୍ପା। ଦିଲ୍ଲୀ ସୀମାରେ ଗତ ବର୍ଷେ ଧରି ଆନ୍ଦୋଳନ ଚାଲିଛି । ଦିଲ୍ଲୀକୁ ଯାତାୟତ ମୁସ୍କିଲ ହୋଇ ପଡିଛି । ପୁଣି ଏବେ ଦିଲ୍ଲୀ ଭିତରେ ଜନ୍ତର ମନ୍ତରଠାରେ ପ୍ରଦର୍ଶନ ପାଇଁ ଅନୁମତି ମାଗିଥିଲା  କିଷାନ ମହାମଞ୍ଚାୟତ । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କଡ଼ା କଡା ଟିପ୍ପଣୀ ଦେବା ସହ  ଭତ୍ସନା କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ପ୍ରଦର୍ଶନ ଅଧିକାର ରହିଛି, କିନ୍ତୁ ହାଇୱେ ଜାମ୍ କରି ଲୋକଙ୍କୁ ନାକେଦମ କରିପାରିବେ ନାହିଁ ।

ଜନ୍ତରମନ୍ତରରେ ୨ଶହ ଲୋକଙ୍କୁ ନେଇ ଶାନ୍ତିପୂର୍ଣ୍ଣ ଏବଂ ଅହିଂସକ ପ୍ରଦର୍ଶନ କରିବାକୁ ମଗାଯାଇଥିଲା ଅନୁମତି। ଏହା ଉପରେ କୋର୍ଟ ପଚାରିଛନ୍ତି, ଦିଲ୍ଲୀ ଚାରିପଟେ ଜାମ୍ ଲଗାଇ ସାରା ସହରକୁ ଅଣନିଶ୍ଵାସୀ କରିବା ପରେ ଏବେ କଣ ସହର ଭିତରକୁ ଆସିବାକୁ ଚାହୁଁଛନ୍ତି । ସୀମାରେ ରହୁଥିବା ବାସିନ୍ଦା କଣ ଏଥିରେ ଖୁସି।  ଜାନୁଆରି ୨୬ରେ ଟ୍ରାକ୍ଟର ରାଲି ସମୟରେ ଲାଲକିଲ୍ଲାରେ ହିଂସା ଦେଖାଯାଇଥିଲା । ଏସବୁ ଗତିବିଧି ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

{"id":520768,"sizeSlug":"full","linkDestination":"none"}

ଜାତୀୟ ରାଜପଥକୁ କୃଷକମାନେ ଅବରୋଧ କରିଥିବାରୁ ନୋଏଡାରୁ ଦିଲ୍ଲୀ ପହଞ୍ଚିବା ଲାଗି ୨୦ମିନିଟ ବଦଳରେ ୨ଘଣ୍ଟା ଲାଗୁଛି । ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ପ୍ରଦର୍ଶନକାରୀ  କିଭଳି ହାଇୱେ ବ୍ଲକ୍ କରି ବସିଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବା ପ୍ରଶାସନର ଦାୟିତ୍ବ । କୋର୍ଟ କିମ୍ବା ସଂସଦରେ ଚର୍ଚ୍ଚା ମାଧ୍ୟମରେ ସମାଧାନର ବାଟ ବାହାରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି ।

ଅଗଷ୍ଟ ୨୩ରେ ସୁପ୍ରିମକୋର୍ଟ କହିଥିଲେ, କୃଷକ ଆନ୍ଦୋଳନ କରିପାରିବେ କିନ୍ତୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ରାସ୍ତା ବନ୍ଦ କରିପାରିବେ ନାହିଁ । ସମାଧାନର ବାଟ ବାହାର କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ କୋର୍ଟ କହିଥିଲେ । କିନ୍ତୁ ଏଯାଏଁ ଚାଷୀ ନିଜ ଜିଦରେ ଅଟଳ, ପୁଣି ବାରମ୍ବାର ସରକାରଙ୍କ ସହ ଆଲୋଚନା ଫେଲ୍ ମାରୁଛି । ଆଉ ସେପଟେ ଦିଲ୍ଲୀ ସୀମାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଜନତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.