କରୋନା Lock downରେ ହଟିବ ଐତିହାସିକ ‘ଅମୃତାଞ୍ଜନ’ ପୋଲ, ୧୯୦ ବର୍ଷ ପୂର୍ବେ ନିର୍ମାଣ କରିଥିଲେ ଇଂରେଜ
3/04/2020 at 1:59 PM

ମୁମ୍ୱାଇ ୩।୪: ଦେଶରେ କରୋନା ଲକଡାଉନ୍ ସମୟରେ ଶନିବାର ମୁମ୍ବାଇ-ପୁଣେ ଜାତୀୟ ରାଜମାର୍ଗରେ ଥିବା ୧୯୦ ବର୍ଷ ପୁରୁଣା ଅମୃତାଞ୍ଜନ ପୋଲକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ପୋଲକୁ କଣ୍ଟ୍ରୋଲ ବ୍ଲାଷ୍ଟିଂ ଦ୍ୱାରା ନଷ୍ଟ କରାଯିବ। ଲୋନାବାଲା ନିକଟରେ ଥିବା ଏହି ପ୍ରାଚୀନ ପୋଲଟିକୁ ଇଂରେଜମାନେ ଗମନାଗମନ ସୁବିଧା ଲାଗି ନିର୍ମାଣ କରିଥିଲେ। ଦେଶର ପୁରୁଣା ପୋଲମାନଙ୍କ ମଧ୍ୟରେ ଏହା ଅନ୍ୟତମ ଓ ପ୍ରାଚୀନ।

ଏହି ପୋଲକୁ ଜାତୀୟ ରାଜପଥରୁ ହଟାଇବା ଲାଗି ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ (ଏମଏସ୍ଆରଡିସି)ଙ୍କୁ ରାୟଗଡ ଜିଲ୍ଲାପାଳଙ୍କ ଅନୁମତି ମିଳିଯାଇଛି। ଏଥିରେ ପୋଲଟିକୁ ୪ରୁ ୧୪ ଏପ୍ରିଲ ସୁଦ୍ଧାସେଠାରୁ ହଟାଇ ଦେବାକୁ କୁହାଯାଇଛି। କୋବିଡ୍-୧୯ ଲକଡାଉନ୍ ଯୋଗୁ ମୁମ୍ବାଇ-ପୁଣେ ଜାତୀୟ ରାଜପଥରେ ଟ୍ରାଫିକ୍ ନାହିଁ। ଏଣୁ ପୋଲ ହଟାଇବାକୁ ଏହା ସବୁଠୁ ସୁରକ୍ଷିତ ସମୟ ହୋଇଥିବାରୁ ସୁବିଧା ଦେଖି ପୋଲ ହଟାଇବାକୁ କାମ ଆରମ୍ଭ କରାଯିବ।

୧୮୩୦ ମସିହାରେ ନିର୍ମିତ ଏହି ପୋଲଟି ଗମନାଗମନ ଲାଗି ଅସୁରକ୍ଷିତ ଘୋଷିତ ହେବା ପରଠାରୁ ଏହା ଉପରେ ଗମନା ଗମନ ନିଷିଦ୍ଧ ରହିଛି। ତେବେ ପୋଲର ମୂଳମାଲିକ ଭାରତୀୟ ରେଳବାଇ ଏ ଦିଗରେ କୌଣସି ପଦକ୍ଷେପ ନେଉନଥିଲେ। ଏଣୁ ରେଳବାଇଙ୍କୁ ପତ୍ରଲେଖି ପୋଲ ଭାଙ୍ଗିବା ଲାଗି ଅନୁମତି ମଗାଯାଇଥିଲା। ପୋଲଟିର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଣୁ ଜାତୀୟ ରାଗମାର୍ଗରେ ଅନେକସମୟରେ ଟ୍ରାଫିକ ଜାମ ହେଉଛି।

ପୋଲର ଖମ୍ବଗୁଡିକ ଖୁବ୍ ମୋଟା ହୋଇଥିବା ଯୋଗୁ ଏହା ତଳ ଦେଇ ଯାଇଥିବା ରାସ୍ତା ଅଣଓସାରିଆ ହୋଇଛି। ଏଣୁ ପୋଲ ତଳେ ଦୁର୍ଘଟଣା ଘଟିଲେ ରାସ୍ତା ଜାମ ହେବା ସ୍ୱଭାବିକ। ତେବେ ଏହା ଦେଶର ଅନ୍ୟତମ ବ୍ୟସ୍ତତମ ସଡକ ହୋଇଥିବାରୁ ପ୍ରାୟତଃ ଅସୁବିଧା ହେଉଥିଲା। ପୂର୍ବରୁ ୨୦୧୭ ମସିହାରେ ପୋଲକୁ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ସେତେବେଳେ ଏହାକୁ ବିରୋଧ କରାଯିବାରୁ ଏମଏସ୍ଆରଡିସି ନିଷ୍ପତ୍ତିରୁ ଓହରି ଯାଇଥିଲେ।