କୃଷି କ୍ୟାବିନେଟ୍ ନିଷ୍ପତ୍ତି: ଚାଷୀଙ୍କୁ ଯୋଗାଇ ଦିଆଯିବ ପର୍ଯ୍ୟାପ୍ତ ସାର, ୫୫ ଲକ୍ଷ ଚାଷୀ ପାଇବେ ପ୍ରୋତ୍ସାହନ ରାଶି, ନୂତନ ହେଲ୍‌ପଲାଇନ ନମ୍ବର ଜାରି

Published By : Prameya-News7 Bureau | September 02, 2020 IST

ଭୁବନେଶ୍ଵର ୦୨।୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ  ଏତିହ୍ୟ, କୃଷି ଓ ଶିକ୍ଷାକୁ ନେଇ ଅନେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଚାଷୀଙ୍କୁ ୟୁରିଆ ସାର ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଧାନ ଚାଷ ସହ ଅନ୍ୟ ଫସଲ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇବା ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି।

ବୈଠକ ପରେ ବିଭାଗୀୟ ସଚିବ କୃଷି କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସଚିବଙ୍କ ଅନୁଯାୟୀ ଚାଷୀଙ୍କୁ ୟୁରିଆ ସାର ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏ ପର୍ଯ୍ୟନ୍ତ ରାଜ୍ୟକୁ ୬.୧୫ ଲକ୍ଷ ମେଟ୍ରିକ ଟନ ସାର ଆସିଛି। ତେଣୁ ୟୁରିଆ ସାରର ଅଭାବ ରହିବନି। କୃଷକଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ କୃଷି କାର୍ଯ୍ୟ ପାଇଁ ଚଳିତ ବର୍ଷ କୃଷକଙ୍କୁ ୯୯୬୫ କୋଟି ଟଙ୍କାର କୃଷି ଋଣ ଯୋଗାଇ ଦିଆଯାଇଛି। ଧାନ ସହ ଅନ୍ୟ ଫସଲ ପାଇଁ ମଧ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସଚିବ କହିଛନ୍ତି। ପ୍ରୋତ୍ସାହନ ରାଶି ପାଇଁ ୫୫ ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଥିବା ସଚିବ ସୂଚନା ଦେଇଛନ୍ତି। ବଳରାମ ଯୋଜନାରେ ଭାଗଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହେବେ।

କୃଷକଙ୍କ ପାଇଁ ନୂଆ  ହେଲ୍‌ପଲାଇନ୍ ନମ୍ବର ୧୫୫୩୩୩ ଜାରି କରାଯାଇଛି। ଏହି ନମ୍ବରରେ କଲ୍ କରି କୃଷକ କୃଷି ପରାମର୍ଶ ନେଇ ପାରିବେ। କାଳିଆ ଯୋଜନାରେ ଲାଭ ପାଇବା ପାଇଁ ପୋର୍ଟାଲ  ବ୍ୟବସ୍ଥା କରାଯାଇଛି। ଏହି ପୋର୍ଟାଲରେ ଚାଷୀ ସେମାନଙ୍କର ଆବେଦନର ସ୍ଥିତି ଜାଣି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.