ଢେଙ୍କାନାଳ ୨/୩: ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଜଜ୍ ରାଜକିଶୋର ମହାପାତ୍ର ସୋମବାର ଅଭିଯୁକ୍ତ ଜର୍ଜ ଗାଗରାଇକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ୨୦ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଛି । ଜୋରିମାନା ଅର୍ଥ ଆଦାୟ ନହେଲେ ଅଧିକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟ ପ୍ରକାଶ ପାଇଛି ।
କଙ୍କଡାହାଡ ଥାନା କେନ୍ଦୁପଡା ଗ୍ରାମର ଶିକ୍ଷକ ଜର୍ଜ ଗାଗରାଇଙ୍କ ବିରୋଧରେ ୨୦୧୬ ଅକ୍ଟୋବର ୧୫ରେ ଏନେଇ ଅଭିଯୋଗ ହୋଇଥିଲା । ସେହି ଥାନା ଅନ୍ତର୍ଗତ ଜଣେ ଦୃଷ୍ଟିହୀନା ନାବାଳିକାକୁ ଅଭିଯୁକ୍ତ ଶିକ୍ଷକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ସେ ଥରେ ନୁହେଁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲେ । ନାବାଳିକାଙ୍କ ପରିବାର ଲୋକେ ଜାଣିବା ପରେ କଙ୍କଡାହାଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଜର୍ଜ ଗାଗାରାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।