ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭପାତ: ଘଟଣାକୁ ଚାପି ଦେବାକୁ ଚାଲିଛି କି ଉଦ୍ୟମ ? ସଂପୃକ୍ତ ଡାକ୍ତର ଫେରାର
25/06/2020 at 7:18 PM

ରାଉରକେଲା୨୫/୬: ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ସହ ବେଆଇନ ଗର୍ଭପାତ ଘଟଣା ଏବେ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥଥିବା ବେଳେ ବୀରମିତ୍ରପୁର ଥାନାର ବଡ଼ ବାବୁଙ୍କ ସହ ବେଆଇନ ଗର୍ଭପାତ କରାଇଥିଲେ ଡ଼।କ୍ତର ଏବେ କେଉଁଠି ତାର ପତ୍ତା ନାହିଁ । ଅନ୍ୟ ପଟେ ଏହି ଘଟଣା ରାଜନୈତିକ ମୋଡ଼ ନେବାକୁ ବସିଲାଣି।
ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭପାତ ଘଟଣାକୁ ଚାପି ଦେବାକୁ ଚାଲିଛି କି ଉଦ୍ୟମ ? ଖାକିରେ ଦାଗକୁ ସଫା କରିଦେବାକୁ ଚେଷ୍ଟା ହେଉଛି କି ? ପୋଲିସକୁ ବଦନାମରୁ ବଞ୍ଚାଇବାକୁ ଯୋଜନା କରୁଛନ୍ତି କି ବରିଷ୍ଠ ପଦାଧିକାରୀ ? ଘଟଣାର ୧୦ ଦିନ ପରେ ବି ଅଭିଯୁକ୍ତଙ୍କୁ ଗିରଫ କରାନଯିବା ଏମିତି କିଛି ଇଙ୍ଗିତ କରୁଛି । ସବୁଠୁ ବଡ କଥା ହେଲା ବୀରମିତ୍ରପୁର ଥାନା ଅଧିକାରୀ, ଯାହାଙ୍କ ନାଁରେ ଦୁଷ୍କର୍ମ ଏବଂ ଗର୍ଭପାତ କରାଇବାର ସଂଗୀନ ଅଭିଯୋଗ ରହିଛି ସେ ଏବେ ଥାନାକୁ ଆସୁନଥିବା ଜଣାପଡିଛି । ଯେଉଁ ଡାକ୍ତର ଭର୍ଗପାତ କରାଇଥିଲେ ତାଙ୍କର ମଧ୍ୟ ପତ୍ତା ମିଳୁନି । ପୂର୍ବରୁ ତଦନ୍ତ କଥା କହିଥିଲେ ସୁନ୍ଦରଗଡ ଏସ୍ପି । ଆଜି ଏହାର ଅଗ୍ରଗତି ସଂପର୍କରେ ପ୍ରତିକ୍ରିୟା ପାଇଁ ଏସ୍ପିଙ୍କୁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ଆଇଆଇସି ଥାନାକୁ ଆସୁନଥିବା କଥାକୁ ସେ ମାନିଛନ୍ତି । କିନ୍ତୁ କେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ସେନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
କେବଳ ମାମଲା ରୁଜୁ ହୋଇଥିବା ଜଣେ ଯୁବକକୁ ପୋଲିସ ଉଠାଇ ନେଇ ପଚରାଉଚରା ଚଳାଇଛି । ପୋଲିସର ଏ ସିଥିଳ ତଦନ୍ତକୁ ନେଇ ଆଗକୁ ଆସିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ରାଉରକେଳା ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଆଜି ପଶ୍ଚିଂମାଚଳ ଡ଼ିଆଜିଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା କାଲି ରାଉରକେଲା ଜିଳ୍ଲା କଂଗ୍ରେସ ବୀରମିତ୍ରପୁର ଥାନା ଘେରାଉ କରିବାକୁ ଧମକ ଦେଇଛି।
ଦୁଷ୍କର୍ମ ଅଭିଯୋଗ ନେଇ ଥାନାକୁ ଆସିଥିବା ଜଣେ ୧୩ ବର୍ଷର ନାବାଳିକାକୁ ବୀରମିତ୍ରପୁର ଥାନାବାବୁ କୁଆଡ଼େ ବାରମ୍ବାର ଦୁଷ୍କର୍ମ କରିବା ସହ ପରେ ଚାପ ପକାଇ ଗର୍ଭପାତ କରାଇଛନ୍ତି। ବୀରମିତ୍ରପୁର ଥାନା ଅଧିକାରୀ, ଏସଆଇ, ନାବାଳିକାଙ୍କ ସାଙ୍ଗ, ନାବାଳିକାଙ୍କ ସାବତ ବାପା ଏବଂ ତାଙ୍କ ସାଙ୍ଗ ଏମିତି ୫ ଜଣଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଡାକ୍ତରଙ୍କ ବିରୋଧରେ ବେଆଇନ ଗର୍ଭପାତ ମାମଲା ରୁଜୁ ହୋଇଛି ।