ଆଦର୍ଶ ଶିକ୍ଷକ, ସମାଜ ସଂସ୍କାରକ ସ୍ଵର୍ଗତ ଦୈତାରୀ ନାୟକଙ୍କ ୯୦ତମ ଜୟନ୍ତୀ ପାଳିତ
27/01/2021 at 10:19 PM

ଭୁବନେଶ୍ଵର ୨୭।୦୧: ଏକାଧାରରେ ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ, ଜଣେ ସମାଜ ସଂସ୍କାରକ, ଜଣେ ଦରଦୀ ମଣିଷ। ଶିକ୍ଷକତା ବୃତ୍ତିରେ ଥାଇ ମଧ୍ୟ ସେ ସାଧାରଣ ଜନତାଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ଅହରହ ଉଦ୍ୟମ କରୁଥିଲେ। ନିଜର ତ୍ୟାଗ ଓ ନିଷ୍ଠାପର ଶିକ୍ଷକତା ସମାଜ ପାଇଁ ସଭିଙ୍କ ପ୍ରିୟଭାଜନ ଥିଲେ। ସେହି ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି ସ୍ଵର୍ଗତ ଦୈତାରୀ ନାୟକ। ବୁଧବାର କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ ବଲୁରିଆ ଗାଁର ଆଦର୍ଶ ଶିକ୍ଷକ ସ୍ଵର୍ଗତ ନାୟକଙ୍କ ୯୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। “ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ” ପକ୍ଷରୁ ଅୟୋଜିତ ଏହି ଉତ୍ସବକୁ ଉଦଘାଟନ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ରୁତୁରାଜ । ସ୍ଵର୍ଗତ ଦୈତାରୀ ନାୟକଙ୍କ ତ୍ୟାଗ ଓ ନିଷ୍ଠାପର ଶିକ୍ଷକତା ସମାଜ ପାଇଁ ଏକ ଆଲୋକ ବର୍ତ୍ତିକା ବୋଲି ଜିଲ୍ଲାପାଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ଅଧିକାରୀ ଲକ୍ଷ୍ମୀ ନାରାୟଣ ଦାସ ଯୋଗ ଦେଇଥିଲେ। ଗୁରୁ ଦୈତାରୀ ନାୟକଙ୍କ ଆଦର୍ଶମୟ ଜୀବନ ଉପରେ ଆଲୋକପାତ କରିବା ସହିତ ସ୍ଵର୍ଗତ ନାୟକ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ଉତ୍ସବର ମୁଖ୍ୟବକ୍ତା କଥାକାର ଅତୁଲ ବଳ ସ୍ଵର୍ଗତ ଦୈତାରୀ ନାୟକଙ୍କୁ ଶିକ୍ଷକ ସମାଜର ଅମଳିନ ଜ୍ୟୋତି ବୋଲି ଅବିହିତ କରିଥିଲେ ।

ଟ୍ରଷ୍ଟର ସଭାପତି ଭଗବାନ ରାଉତଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଜୟନ୍ତୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ସାହିତ୍ୟିକ ନିର୍ମଳ ଚନ୍ଦ୍ର ବିଶ୍ଵାଳ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଗୁରୁ ଦୈତାରୀ ନାୟକଙ୍କ ସ୍ମୃତି ଚାରଣ କରିବା ସହ ସେ ସବୁ ସମୟରେ ଶିକ୍ଷିତ ଓ ସମୃଦ୍ଧ ସମାଜ ଗଠନର ସ୍ଵପ୍ନ ଦେଖିଥିଲେ ବୋଲି କହିଛନ୍ତି । ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ, ବର୍ଷର ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟ କରି ଆସୁଛି । ପ୍ରତିବର୍ଷ ଟ୍ରଷ୍ଟ ପକ୍ଷରୁ ୧୦୦ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଉଥିବା ସହ ସେମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି।

ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇ କୃତ୍ତି ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରୁଛନ୍ତି ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ । ସମାଜସେବା କ୍ଷେତ୍ରରେ ଦିନକୁ ଦିନ ଟ୍ରଷ୍ଟର କାର୍ଯ୍ୟ ପରିସର ବ୍ୟାପକ ହେବାରେ ଲାଗିଛି । ଗୁରୁ ଦୈତାରୀ ନାୟକଙ୍କ ଜୟନ୍ତୀ ଉତ୍ସବରେ ରଞ୍ଜିତ କୁମାର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ରମେଶ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିଲେ। ସେହିପରି ଶିକ୍ଷକ ପାର୍ଥସାରଥୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥଲେ ସଚିତ୍ର କୁମାର ବେଉରା । ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲେ । କରୋନା କଟକଣା ଯୋଗୁ ଚଳିତ ବର୍ଷ ଗୁରୁ ଦୈତାରୀ ନାୟକଙ୍କ ଜୟନ୍ତୀ କାର୍ଯ୍ୟକ୍ରମକୁ ସୀମିତ କରାଯାଇଥିବା ବେଳେ ଆସନ୍ତା ବର୍ଷ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।