ଓ୍ବେବ ସିରିଜର ସୁଟିଂବେଳେ ଅଭିନେତ୍ରୀ ମାହି ଗିଲ୍ ଏବଂ ତାଙ୍କ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ : ୭ଜଣ ଅଭିଯୁକ୍ତ ଗିରଫ
20/06/2019 at 11:58 AM

ମୁମ୍ବାଇ ୨୦/୬: ଏକ ଓ୍ବେବ ସିରିଜର ସୁଟିଂ ସମୟରେ ବଲିଉଡ ଅଭିନେତ୍ରୀ ମାହି ଗିଲ୍ ଏବଂ ତାଙ୍କ କ୍ରୃ ଟିମ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣା ଗତକାଲି ଥାଣେ ଜିଲ୍ଲାର ଘୋଡ଼ବନ୍ଦର ଅଞ୍ଚଳରେ ଘଟିଛି। ଏହାପରେ ଅଭିନେତ୍ରୀ ଏବଂ ପ୍ରଡକ୍ସନ ହାଉସର ଅଭିଯୋଗରେ ପୋଲିସ୍ ୭ଜଣଙ୍କୁ ଗିରଫ କରିଛି।
ଆସୋସିଏଟ ପ୍ରଡ୍ୟୁସର ରାଜବୀର ଆହଲୁଓ୍ବାଲିଆଙ୍କ କହିବାନୁସାରେ ଥାଣେ ଶିପୟାର୍ଡ଼ରେ ଏବେ ଅଭିନେତ୍ରୀ ମାହି ଗିଲ୍ ଆଲ୍ଟ ବାଲାଜୀ ପ୍ରଡକ୍ସନ ହାଉସର ଓ୍ବେବ ସିରିଜ ‘ଫିକ୍ସର’ର ସୁଟିଂ କରୁଛନ୍ତି। ଗତକାଲି ସୁଟିଂ ସମୟରେ ସେଟରେ ୭/୮ଜଣ ଲୋକ ପହଞ୍ଚିଥିଲେ ଏବଂ କ୍ରୃ ଟିମ୍ ଉପରେ ରଡ଼୍ ଏବଂ ବାଡ଼ିରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୦ଜଣ ଆହତ ହୋଇଥିଲେ ଏବଂ ୨ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଅଭିଯୁକ୍ତମାନେ ମାହି ଗିଲଙ୍କ ସହ ମଧ୍ୟ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।
ଅଭିନେତ୍ରୀ ମାହି ଗିଲ କହିଛନ୍ତି ଯେ ତାଙ୍କୁ ବଞ୍ଚାଇବାକୁ ଯାଇ ଧାରାବାହିକର ଡିଓପି ସନ୍ତୋଷ ତାଣ୍ଡୁଲ୍ୟ ଆହତ ହୋଇଥିଲେ। ଅଭିଯୁକ୍ତମାନେ କହୁଥିଲେ ଯେ ତାଙ୍କ ପାଖରେ ଓ୍ବେବ ସିରିଜ ସୁଟିଂ କରିବାର ଅନୁମତି ନାହିଁ। କିନ୍ତୁ ପ୍ରଡକ୍ସନ ହାଉସଙ୍କ କହିବାନୁସାରେ ତାଙ୍କ ପାଖରେ ସମସ୍ତ ଅନୁମତି ରହିଛି। ଅଭିଯୁକ୍ତମାନେ ସେଟରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଜିନିଷକୁ ମଧ୍ୟ କ୍ଷତି ପହଞ୍ଚାଇଛନ୍ତି।

ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏହି ଆକ୍ରମଣକୁ ନିନ୍ଦା କରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।