Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ତନ୍ତ୍ରକରି ୧୯୯୯ ମହାବାତ୍ୟାକୁ ଟାଳିବା ଲାଗି ପ୍ରୟାସ କରିଥିଲେ ସେତେବେଳର ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଜାଣନ୍ତୁ କ’ଣ କହିଥିଲେ ସାମ୍ବାଦିକଙ୍କୁ…

28/10/2019 at 6:17 PM

ଭୁବନେଶ୍ବର(ସୁବ୍ରତ ଦାସ)୨୮|୧୦: ଆସନ୍ତା କାଲି(୨୯, ଅକ୍ଟୋବର) ୧୯୯୯ ମହାବାତ୍ୟାକୁ ୨୦ ବର୍ଷ ପୂରିବ । ଏବେ ଆକାଶ ଟିକେ ମେଘୁଆ ହୋଇଗଲେ, ପବନ ଟିକେ ଜୋର ହୋଇଗଲେ ସେଦିନର କଥା ମନେପଡେ । ୧୯୯୯ ମସିହା ଅକ୍ଟୋବର ମାସ ୨୮ ତାରିଖ । ଓଡିଶାରେ ମହାବାତ୍ୟା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଶୁଣି ସମସ୍ତେ ଭୟଭୀତ ହୋଇପଡିଥିଲେ । ଏହି ସାମ୍ବାଦିକ ସେତେବେଳେ ଇଂରାଜୀ ଦୈନିକ ଖବରକାଗଜ ଦ ଷ୍ଚେଚ୍ସମ୍ୟାନର ରାଜ୍ୟ ସ୍ତରୀୟ ପ୍ରତିନିଧୀ ଥାଏ । ଖବର ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ପହଞ୍ଚିଯାଇଥିଲି । ସେତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ଡକ୍ଟର ଗିରିଧର ଗମାଙ୍ଗ । ସେ ରହୁଥାନ୍ତି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ(ଏବେ ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲୁଛି )ରେ । ମୁଖ୍ୟମନ୍ତ୍ରୀ ଶ୍ରୀ ଗମାଙ୍ଗ ମତେ ଭିତରକୁ ଡାକିଲେ ଓ ପଚାରିଲେ କଣ ହେଲା ? ମଁ ତାଙ୍କୁ କହିଲି ଓଡିଶାକୁ ବଡ ବାତ୍ୟା ମାଡି ଆସୁଛି , ଆପଣଙ୍କ ସରକାର ଏହାର ମୁକାବିଲା କରିବାକୁ କି କି ପଦକ୍ଷେପ ନେଉଛି ? ଗମାଙ୍ଗ ମୁରୁକି ହସିଲେ ଆଉ କହିଲେ- “ଦାସେ, ବ୍ୟସ୍ତ ହୁଅନି …ମୁଁ ତନ୍ତ୍ରମନ୍ତ୍ର କରି ବାତ୍ୟାକୁ ଓଡିଶାରୁ ଉଡେଇ ଦେଇଛି “ ସେତେବେଳକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦୁଇ ତିନିଜଣ ଜ୍ୟୋତିଷ ଓ ସାଧୁ ସନ୍ଥ ବସିଥାନ୍ତି । ମୁଁ ଟିକେ ଆଶ୍ବସ୍ଥ ହୋଇ ଅଫିସକୁ ଫେରି ଆସିଲି ।

କିନ୍ତୁ ବେଳକୁ ବେଳ ପରିସ୍ଥିତି ଗମ୍ଭୀର ହେଲା । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଲା ଆଉ ଜୋରରେ ଝଡ ପବନ ବହିବାକୁ ଲାଗିଲା । କ୍ରମେ କ୍ରମେ ଝଡ ବତାସର ଗତି ବଢିଲା । ତା ପରେ ବିଜୁଳି ଓ ଟେଲିଫୋନ ଲାଇନ କଟିଗଲା । ଆଉ କାହାରିକି ଯୋଗାଯୋଗ କରିହେଲା ନାହିଁ । କମ୍ପୁଟରରେ ଖବର ଫଠାଇନହେବାରୁ ଟାଇପ ରାିଟରରେ ଖବର ଟାଇପ କରିବା ସହ ଟାଇପ ହୋଇଥିବା ଖବରକୁ ଫାକ୍ସ କରିବାକୁ ମୁଖ୍ୟ ଡାକ ଓ ତାର ଅଫିସକୁ ଦୌଡିଲି । କିନ୍ତୁ ଟେଲିଫୋନ ଲାଇନ କେଉଁଠି ନଥିବାରୁ ହତାଶ ହୋଇ ଅଫିସକୁ ଫେରିଲି । ଆମର ଅଫିସ ମହାତ୍ମାଗାନ୍ଧୀ ମାର୍ଗରେ ଥାଏ । କିନ୍ତୁ ସେତେବେଳକୁ ଏହି ଦୁଇ ତାଲା କୋଠାକୁ ଚିହ୍ନି ହେଉନଥାଏ । ସବୁ ନଡାଆ ଗଛ ଝଡ ତୋଫାନରେ ଭାଙ୍ଗି ତଳେ ଲୋଟୁଥାଏ । ଟେଲିଫୋନ ଓ ବିଜୁଳି ତାର ଛିଡିଯାଇଥାଏ । ଖବର କାଗଜଗୁଡି ଉଡି ପାହାଚ ସାରା ପଡିଥାଏ ।

ଏହି ଅବସ୍ଥାରେ ଖବର ପଠାଇନପାରି ଦୁଃଖରେ ଅଫିସରେ ବସିଥାଏ । ଏହି ସମୟରେ ହଠାତ ଖବର ପାଇଲିଯେ, ଭୁବନେଶ୍ବରରେ ଦୁଇଟି ସାଟେଲାଇଟ ଫୋନ କାମ କରୁଛି । ଗୋଟିଏ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଲାଗିଛି ଏବଂ ଆଉ ଗୋଟିଏ ଟେଲିଫୋନ ଭବନରେ ଲାଗିଛି । ସେଠୁ ମୁଁ ଏବଂ ମୋର ଜଣେ ସହ-କର୍ମୀ ଟେଲିଫୋନ ଭବନ ଦୌଡିଲୁ । ସେଠାରୁ ବହୁ କଷ୍ଠରେ ଲଣ୍ଡନ ଦେଇ ଆମ ନ୍ୟୁଜ ଏଡିଟରଙ୍କ ସହ କଲିକତା ଯୋଗାଯୋଗ କଲୁ । ନ୍ୟୁଜକୁ ଫୋନରେ ଡାକି ଘରକୁ ଫେରିଲା ବେଳକୁ ଅଧ ରାତି । ଚାରିଆଡେ ଅନ୍ଦାରର ରାଜୁତି । ଟେଲିଫୋନ ଭବନରୁ ମୋର ରାଜମହଲ ଛକ ନିକଟସ୍ଥ ବାସଭବନକୁ ଫେରିବା ବାଟରେ ମୁଖ୍ୟ ରାସ୍ତା ଜନପଥକୁ ଚିହ୍ନି ହେଉନଥାଏ । ଗଛ ଓ ବିଜୁଳି ଖୁଣ୍ଟ ପଡି ରାସ୍ତା ସବୁ ଅବରୁଦ୍ଧ ହୋଇଥାଏ । ଅନ୍ଧାର ଯୋଗୁଁ ବାଟ ଚାଲି ହେଉନଥାଏ ।

ସେତେବେଳକୁ ଆମ ଘରେ କାନ୍ଦ ବୋବାଳି ପଡିଥାଏ । ମୋ ସାନ ଭାଇ ଏବଂ ମୋର ଜଣେ ପଡୋଶୀ ମତେ କ୍ୟାପିଟାଲ ଥାନା ଓ କ୍ୟାପିଟାଲ ହସପିଟାଲରେ ନପାଇ ଚିନ୍ତିତ ହୋଇ ଘରକୁ ଫେରିଥାନ୍ତି ।ତେବେ ମତେ ଦେଖିବା ପରେ ମୋ ମା ଓ ପତ୍ନୀଙ୍କ ମୁହଁରେ ହସ ଫୁଟିଥିଲା । ଆମେ ରାତିସାରା ଶୋଇ ପାରିଲୁ ନାହିଁ । ବାରଣ୍ଡାରେ ବସି ମହାବାତ୍ୟାର କରାଳ ରୂପ ଦେଖୁଥାଉ । ମହାବାତ୍ୟା ଭୁବନେଶ୍ବର ଆକାଶରେ ପ୍ରାୟ ୨୪ଘଣ୍ଟା ସ୍ଥିର ରହି ଚକ୍ରାକାରରେ ବୁଲିଲା । ସେତେବେଳେ ବିକଟାଳ ଗର୍ଜ୍ଜନ ମଧ୍ୟ କରୁଥିଲା । ମୋର ଦେଢ ବର୍ଷର ପୁଅ ମଧ୍ୟ ନଶୋଇ ଚୁପ ଚାପ ବସିଥାଏ । ଏବେ ୨୯୦ ବର୍ଷ ପରେ ମଧ୍ୟ ଝଡ ବାତ୍ୟା ଆସିଲେ ସେ ଗମ୍ଭୀର ହୋଇଯାଏ ।

ପରଦିନ ସକାଳୁ ମୁଁ ଖବର ସଂଗ୍ରହ ପାଇଁପାରାଦୀପ ଗଲି । ବାଟ ସାରା ଲୋକେଖାଇବାକୁ ନପାଇ ଯାହା ପାଖରୁ ଯାହା ପାଇଲେ ଖାଦ୍ୟ ଦ୍ରବ୍ୟ ଲୁଟ କରିନେଉଥାନ୍ତି । ମୋର ମଧ୍ୟ ରେନକୋଟ ଥିବା ବ୍ୟଗକୁ ସେମାନେ ଛଡାଇ ନେଇଥିଲେ । କଟକ-ପାରାଦୀପ ରାସ୍ତାରେ ଗଛ ଓ ବିଜୁଳି ଖୁଣ୍ଟ ପଡିଥିବାରୁ ଜାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ତେଣୁ ଦୈତାରୀ –ପାରାଦୀପ ଏକ୍ସପ୍ରେସ ହାଇୱେ ବାଟେ ଆମେ ପାରାଦୀପ ଗଲୁ । ବାଟସାରା ଆନ୍ଧ୍ର ପ୍ରଦେଶର ଗଛକଟାଳି ଦଳ ରାସ୍ତା ସଫା କରୁଥାନ୍ତି । ଅଟକି ଥିବା ଯାନବାହନ ସବୁ ଆଗକୁ ବଢୁଥାଏ । ବାଟସାରା ବହୁ କରୁଣ ଦୃଶ୍ୟ ଦେଖି ଦେଖି ଆମେ ଶେଷରେ ପାରାଦୀପରେ ପହଞ୍ଚିଲୁ । ସେଠାକାର ଦୃଶ୍ୟ ଆହୁରି କରୁଣ ଥିଲା ।ସମୁଦ୍ର କୂଳରେ ଧାଡି ଧାଡି ଶବ ରଖାଯାଇଥିଲା ଗଣଦାହ ପାଇଁ । ଏହାପରେ ଅନେକ ଦିନ ପର୍ଯ୍ୟନ୍ତ ସେନା ବାହିନ  ଓ ନୌବାହିନୀ ହେଲିକପ୍ଟର ଏବଂ ଟାକ୍ସିଯୋଗେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପାରାଦୀପ ଅଞ୍ଚଳକୁ ଯାଇଛି  ଓ ହୃଦୟ ବିଦାରକ ଦୃଶ୍ୟ ଦେଖିଛି । ଶୁଣିଛି ମଧ୍ୟ ଅନେକ ହୃଦୟ ଥରା ଅଂଗେନିଭା କଥା ।

ଏବେ ଆକାଶ ମେଘୁଆ ହୋଇଗଲେ ଏବଂ ଟିକେ ଜୋରରେ ପବନ ବହିଲେ ସେ ସବୁ କରୁଣ ସ୍ମୃତି ସଜୀବ ହୋଇ ଉଠେ । ବେଶୀ କଷ୍ଟଲାଗେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସେ ଦିନର ସେ ବେପରୁଆ ବକ୍ତବ୍ୟ । ତନ୍ତ୍ରକରି ବାତ୍ୟାକୁ ଓଡିଶା ଆକାଶରୁ ଉଡାଇଦେଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଦାବୀ ବଞ୍ଚାଇପାରିନଥିଲା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ।

   Related Posts