କରୋନା ଭୟରେ ବିଶ୍ୱ ଥରହର : ସାତ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଆମେରିକାରେ ସ୍ଥିତି ଅଣାୟତ୍ତ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩ : ସାରାବିଶ୍ୱରେ ବଢିଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ।  ସାରା ପୃଥିବୀରେ ୭ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ବିଶ୍ବରେ ମୋଟ ୭ ଲକ୍ଷ ୮୪ ହଜାର ୩୮୧ ଜଣ ଆକ୍ରାନ୍ତ ହୋଇଥିବା ଖବର ଆସିଛି । ସେହିପରି ୩୭ ହଜାର ୭୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୭ ଲକ୍ଷ ୮୪ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୬୫ ହଜାର ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଇଟାଲୀରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ଆମେରିକାରେ ଦେଢ଼ ଲକ୍ଷରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେପଟେ ଇଟାଲୀ ଓ ସ୍ପେନ୍ ରେ ମଧ୍ୟ ଚିନ୍ତା ଜନକ ଭାବେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଉଭୟ ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନରେ ସ୍ଥିତିରେ ସୁଦ୍ଧାର ଆସୁଥିବା ଜଣାପଡ଼ିଛି । କାରଣ ଗତ ୨୪ ଘଣ୍ଟାରେ ଚୀନରେ ୩୦ଟି ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ତେବେ ଭାରତରେ ଏଯାଏଁ କରୋନା ନେଲାଣି ୩୨ ଜୀବନ । ଏବେ ସୁଦ୍ଧା ଦେଶରେ ମୋଟ ୧୨୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ଏବଂ କେରଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ଦିଲ୍ଲୀରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.