ଡାକ୍ତରଙ୍କ ପାଖେ ଚିକିତ୍ସା ଫେଲ୍ : ଲକ୍ଷଣ ଥାଇ ଦୁଇ ଥର କୋଭିଡ୍ ରିପୋର୍ଟ ନେଗେଟିଭ୍, ଚାଲିଗଲା ପ୍ରାଣ

Published By : Prameya-News7 Bureau | July 05, 2020 IST

ନୂଆଦିଲ୍ଲୀ ୦୫।୦୭: ଚାରିଆଡେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଦିନ ଯେତିକି ବଢିଚାଲିଛି, କରୋନା ମଧ୍ୟ ସେହିପରି ଅନେକ ଚିନ୍ତା ବଢାଇଚାଲିଛି । ଏହିପରି ଏକ ଘଟଣା ଆସିଛି ନୂଆଦିଲ୍ଲୀରୁ । ଦିଲ୍ଲୀର ମୌଲାନା ଆଜାଦ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଡେଣ୍ଟାଲ ସାଇନ୍ସେସ୍‌ (ଏମ୍‌ଏଆଇଡିଏସ୍‌)ର ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର ପ୍ରାଣ ହରାଇଛନ୍ତି । ତାଙ୍କଠାରେ କରୋନା ଲକ୍ଷଣ ଥିଲା । କିନ୍ତୁ ଦୁଇଥର ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା । ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତରଙ୍କ ମୁତାବକ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି।

୨୬ ବର୍ଷୀୟ ଜୁନିୟର ରେସିଡେଣ୍ଟ ଡାକ୍ତର ଅଭିଷେକ ଭୟାନା ଗୁରୁବାର ସକାଳେ ନିଜ ଭାଇ ଅମନ୍‌ (୩୧)ଙ୍କୁ ସ୍ୱାସ୍ଥ୍ୟାବସ୍ଥା ବାବଦରେ ବତାଇଥିଲେ । କରୋନାର ସବୁ ଲକ୍ଷଣ ସେ ଅନୁଭବ କରୁଥିବା ଦର୍ଶାଇଥିଲେ । କିନ୍ତୁ ତାଙ୍କର ଦୁଇଥର ଯାକ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିଲା । ଶେଷରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ୱାସକ୍ରିୟାରେ ବି ସମସ୍ୟା ଉପୁଜିଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଷେକ ଉକ୍ତ ଡେଣ୍ଟାଲ ହସ୍ପିଟାଲର ଓରାଲ ସର୍ଜରି ବିଭାଗରେ ନିଯୁକ୍ତି ମିଳିଥିଲା ।

ଅଭିଷେକ ଏମ୍‌ସ ଏମ୍‌ଡିଏସ୍‌ ପରୀକ୍ଷାରେ ୨୧ତମ ର‌୍ୟାଙ୍କ ପାଇଥିଲେ । ଏହାପରେ ସେ କାଉନସେଲିଙ୍ଗ୍‌ ପାଇଁ ଜୁନ୍‌ ୨୬ରେ ରୋହତକ୍‌ ଚାଲିଆସିଥିଲେ । ଶୁକ୍ରବାର ଅପରାହ୍ନରେ ଅଭିଷେକଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଯାଇଛି । ଏମ୍‌ଏଆଇଡିଏସ୍‌ର ଜଣେ ବରିଷ୍ଠ ଡାକ୍ତରଙ୍କ ମୁତାବକ ଅଭିଷେକ ବେଶ୍‌ ଉତ୍ସାହୀ ଓ ପରିଶ୍ରମୀ ଥିଲେ । ତାଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ସବୁ ଲକ୍ଷଣ ଥିଲା । କିନ୍ତୁ ତାଙ୍କ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସି ନ ଥିଲା । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା । ଭାଇ ଅମନ୍‌ କହିଛନ୍ତି, ଗୁରୁବାର ସକାଳେ ଅଭିଷେକ ଅତ୍ୟନ୍ତ କ୍ଳାନ୍ତି ଅନୁଭବ କରିଥିଲା। କିନ୍ତୁ ସବୁ ଠିକ୍‌ ହୋଇଯିବ ବୋଲି ମୁଁ ତାକୁ କହିଥିଲି। ସେ ଆଜି ଆମ ସହ ନାହିଁ ବୋଲି ବିଶ୍ୱାସ ହେଉନାହିଁ । ଜୁଲାଇ ୨୨ରେ ସେ ୨୭ ବର୍ଷରେ ପଦାର୍ପଣ କରିଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.