ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: କୋହଲିଙ୍କୁ ପଛରେ ପକାଇ ଦ୍ଵିତୀୟରେ ପହଞ୍ଚିଲେ ସ୍ମିଥ୍, ପୂଜାରାଙ୍କୁ ଫାଇଦା, ୧୯ଟି ସ୍ଥାନ ଉପରକୁ ଉଠିଲେ ପନ୍ତ

Published By : Prameya-News7 Bureau | January 12, 2021 IST

ଦୁବାଇ ୧୨।୦୧:  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ସମାପ୍ତ ତୃତୀୟ ଟେଷ୍ଟ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ମଙ୍ଗଳବାର ସଦ୍ୟତମ ଟେଷ୍ଟ ରାଙ୍କିଙ୍ଗ୍ ଜାରି କରିଛି। ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ତୃତୀୟ ସ୍ଥାନକୁ ଖସିଛନ୍ତି। ସିଡନୀ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଷ୍ଟିଭ୍ ସ୍ମିଥ୍‌ ଦ୍ଵିତୀୟ ସ୍ଥାନକକୁ ଉନ୍ନିତ ହୋଇଛନ୍ତି।

ଅନ୍ୟପଟେ ଭାରତୀୟ କ୍ରିକେଟ୍‌ ଦଳର 'ନୂତନ ଓ୍ଵାଲ' କୁହାଯାଉଥିବା ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଦୁଇଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛନ୍ତି। କୋହଲି ୮୭୦ ପଏଣ୍ଟ ସହ ତୃତୀୟରେ ଅଛନ୍ତି। ସ୍ମିଥ୍ ୯୦୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ୯୧୯ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି। ସ୍ମିଥ୍ ସିଡନୀ ଟେଷ୍ଟରେ ୧୩୧ ଓ ୮୧ ରନର ଦମଦାର ଇନିଂସ ଖେଳିଥିଲେ। ଯାହାର ଫାଇଦା ତାଙ୍କୁ ରାଙ୍କିଙ୍ଗ୍‌ରେ ମିଳିଛି। ଓ୍ଵିଲିୟମସନ ପାକିସ୍ତାନ ବିପକ୍ଷ ଶେଷ ଟେଷ୍ଟରେ ୨୩୮ ରନର ମାରାଥନ ଇନିଂସ ଖେଳିଥିଲେ।

ସେହି ପରି ଭାରତୀୟ ଟେଷ୍ଟ ଦଳର କାର୍ଯ୍ୟକାରୀ ଅଧିନାୟକ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ଅଛନ୍ତି। ଋଷଭ ପନ୍ତ ସିଡନୀରେ ୩୬ ଓ ୯୭ ରନର ଇନିଂସ ଦମରେ ୧୯ଟି ସ୍ଥାନ ଉପରକୁ ଉଠି ୨୬ତମ ସ୍ଥାନରେ ପହଞ୍ଚିଛନ୍ତି। ହନୁମା ବିହାରୀ ୫୨ତମ, ଶୁବମାନ ଗିଲ୍ ୬୯ତମ ଏବଂ ଆର ଅଶ୍ଵିନ ୮୯ ତମ ସ୍ଥାନରେ ରହିଛନ୍ତି।

ବୋଲିଂରେ ଅଫ ସ୍ପିନର  ରବି ଚନ୍ଦ୍ରନ ଅଶ୍ଵିନ ଦୁଇଟି ସ୍ଥାନ ତଳକୁ ଖସି ନବମ ଥିବା ବେଳେ ଯଶପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ଦଶମରେ ରହିଛନ୍ତି। ଏହି ତାଲିକାରେ ପାଟ୍ କମିନ୍ସ ଶୀର୍ଷରେ ଥିବା ବେଳେ ଷ୍ଟୁଆର୍ଟ ବ୍ରଡ୍ ଦ୍ଵିତୀୟରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.