ଭାରତ ହାତମୁଠାରେ ମୋଟେରା ଟେଷ୍ଟ୍ : ଦ୍ବିତୀୟ ଇନିଂସ୍‌ରେ ମାତ୍ର ୮୧ ରନ୍‌ରେ ଅଲଆଉଟ୍ ହୋଇଗଲା ଇଂଲଣ୍ଡ, ପୁଣି ଭାରି ପଡିଲେ ଅଶ୍ବିନ୍-ଅକ୍ଷର ଯୋଡି

Published By : Prameya-News7 Bureau | February 25, 2021 IST

ଅହମ୍ମଦାବାଦ ୨୫/୦୨ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଇନିଂସ୍‌ରେ ଧରାଶୟୀ ହୋଇଛି ଇଂଲଣ୍ଡ । ଦ୍ବିତୀୟ ଇନିଂସରେ ମାତ୍ର ୮୧ ରନ୍‌ରେ ଅଲଆଉଟ୍ ହୋଇଯାଇଛି ଭ୍ରମଣକାରୀ ଇଂଲଣ୍ଡ ଟିମ୍ । ପଡିଆ ମଧ୍ୟରେ କମାଲ କରିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଯୋଡି । ଫଳରେ ମୋଟେରା ଟେଷ୍ଟ ବିଜୟର ଦ୍ବାର ଦେଶରେ ପହଞ୍ଚିଯାଇଛି ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ଅକ୍ଷର ପଟେଲ ୧୫ ଓଭରରେ ୩୨ ରନ୍‌ ଦେଇ ୫ଟି ଓ୍ବିକଟ୍‌ ନେଇଥିବା ବେଳେ ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୧୫ ଓଭରରେ ୪୮ ରନ୍‌ ଦେଇ ୪ଟି ଓ୍ବିକେଟ୍‌ ହାସଲ କରିଛନ୍ତି । ଏହା ସହିତ ଓ୍ବାଶିଂଟନ୍‌ ସୁନ୍ଦର ଗୋଟିଏ ଓ୍ବିକେଟ୍‌ ନେଇଛନ୍ତି ।

ଭାରତକୁ ତୃତୀୟ ଟେଷ୍ଟ ଜିତିବା ପାଇଁ ଦ୍ବିତୀୟ ଇନିଂସରେ ମାତ୍ର ୪୯ ରନ୍‌ ସଂଗ୍ରହ କରିବାକୁ ପଡିବ । ଦ୍ବିତୀୟ ଇନିଂସରେ ବ୍ୟାଟିଂ ପାଇଁ ଆସିଥିବା ଇଂଲଣ୍ଡ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ସ୍କୋର ଛୁଇଁବାକୁ ସକ୍ଷମ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍‌ କରିଛନ୍ତି । ସେହିପରି  ଅଧିନାୟକ ଜୋ ରୁଟ୍‌ ୧୯, ଓଲୀ ପୋପ୍‌ ୧୨ ରନ୍‌ କରି ଆଉଟ ହୋଇଥିଲେ । ଇଂଲିସ୍ ଟିମ୍‌ର ୪ ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଜ୍ୟାକ୍‌ କ୍ରୋଲି, ଜୋନି ବୟାରିଷ୍ଟୋ, ଜୋଫ୍ରା ଆର୍ଚର ଏବଂ ଜେମ୍‌ସ ଆଣ୍ଡରସନ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଡୋମ୍‌ ଶିବଲୀ ୭ ରନ୍‌, ବେନ୍‌ ଫୋକ୍ସ୍‌ ୮ ରନ୍‌, ଜ୍ୟାକ୍‌ ଲିଚ୍‌ ୯ ରନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ୧ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି ।

ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ମାତ୍ର ୧୧୨ ରନ୍‌ରେ ଅଲଆଉଟ ହୋଇଥିଲା । ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନ ଖେଳ ଜାରିରହିଥିବା ବେଳେ ମାତ୍ର ୧୪୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଥିଲା । ଭାରତ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ବାକି ଥିଲା ।

କିନ୍ତୁ ଦ୍ବିତୀୟ ଦିନ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୪୬ ରନ୍‌ ମଧ୍ୟରେ ଶେଷ ୭ଟି ଓ୍ବିକେଟ୍‌ ହରାଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତଙ୍କ ବ୍ୟତିତ ଅନ୍ୟମାନେ ଇଂଲଣ୍ଡ ନିକଟରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଥିଲେ ।

ଦ୍ବିତୀୟ ଦିନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଦଳ ପକ୍ଷରୁ ରାହାଣେ ୭, ଋଷଭ ପନ୍ତ ୧, ରବିଚନ୍ଦ୍ରନ ଅଶ୍ବିନ ୧୭ ଇଶାନ୍ତ ଶର୍ମା ୧୦, ବୁମରାହ ୧ ରନ୍‌ ଏବଂ ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ମାତ୍ର ୬.୨ ଓଭର ବୋଲିଂ କରି ୫ଟି ଓ୍ବିକେଟ୍‌ ନେଇ ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌କୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ଲିଚ୍‌ ୪ଟି ଏବଂ ଜୋଫ୍ରା ଆର୍ଚର ଗୋଟିଏ ଓ୍ବିକେଟ୍‌ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.