ଟେସଲା ମୁଖ୍ୟ ଏଲନ ମସ୍କ ହେଲେ ବିଶ୍ବର ସବୁଠୁ ଧନୀ, ଆମାଜନ ଫାଉଣ୍ଡରଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୮।୧: ଟେସଲା ମୁଖ୍ୟ ଏଲନ୍ ମସ୍କ ହେଲେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି । ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ସେ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବ୍ଲୁମ୍ ବର୍ଗର ରିପୋର୍ଟ ଅନୁସାରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ଏବେ ୧୮୮.୫ ବିଲିୟନ ଡଲାରରେ ପହଞ୍ଚିଛି । ଯାହାକି ବେଜୋସଙ୍କ ସମ୍ପତ୍ତିଠାରୁ ୧.୫ ବିଲିୟନ ଡଲାର ଅଧିକ ।

ଗୁରୁବାର ଏଲନ୍ ମସ୍କଙ୍କ ଟେସଲା କମ୍ପାନୀର ସେୟାର ମୂଲ୍ୟ ୫.୬୫ ପ୍ରତିଶତ ବୃଦ୍ଧି ପାଇବା ଫଳରେ ତାଙ୍କୁ ଆମାଜନଠାରୁ ଟପିବା ଲାଗି ସୁଯୋଗ ସୃଷ୍ଟି କରିଥିଲା । ୨୦୧୭ରୁ ସବୁଠାରୁ ବଡ ଧନୀ ବ୍ୟକ୍ତିର ମାନ୍ୟତା ରଖି ଆସିଥିଲେ ଆମାଜନ୍ ଡଟ୍ କମ୍ ର ମୁଖ୍ୟ ଜେଫ୍ ବେଜୋସ୍ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ଜନ୍ମ ଗ୍ରହଣ କରିଥିବା ୪୯ ବର୍ଷ ବୟସ୍କ ଇଞ୍ଜିନିୟର ଏଲନ୍ ମସ୍କ ଏବେ ତାଙ୍କୁ ଟପି ପ୍ରଥମ ସ୍ଥାନକୁ ଆସିଛନ୍ତି । ଘରୋଇ ମହାକାଶ କାର୍ଯ୍ୟକ୍ରମ ପାଇଁ ମସ୍କଙ୍କ ସ୍ପେସ୍ ଏକ୍ସ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି । ନଭେମ୍ବର ମାସରେ ମସ୍କ ମାଇକ୍ରୋସଫ୍ଟର ବିଲ୍ ଗେଟସଙ୍କୁ ଅତିକ୍ରମ କରିଥିଲେ ।

ଗତ ୧୨ ମାସ ମଧ୍ୟରେ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଏହି ସମୟରେ ତାଙ୍କର ୧୫୦ ବିଲିୟନ ଡଲାର ସମ୍ପତ୍ତି ଲାଭ ହୋଇଛି । ଏପରିକି ତାଙ୍କର କମ୍ପାନୀ ଟେସଲାର ସେୟାର ମୂଲ୍ୟ ୭୪୩ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଟେସଲା ୫ ଲକ୍ଷ କାର୍ ନିର୍ମାଣ କରି ପ୍ରତିଯୋଗୀ କମ୍ପାନୀ ଫୋର୍ଡ ଏବଂ ଜେନେରାଲ ମୋଟରସକୁ ବିଗ୍ ଚ୍ୟାଲେଞ୍ଜ ଦେଇଛି । ତେବେ ଆମେରିକାରେ ଇଲେକ୍ଟ୍ରିକ୍ କାର୍ ର ବ୍ୟବହାର ଉପରେ ଡେମୋକ୍ରାଟମାନେ ସେମାନଙ୍କ ନିର୍ବାଚନୀ ଘୋଷଣାରେ ଗୁରୁତ୍ବ ଦେଇଥିଲେ। ଆମେରିକା ନିର୍ବାଚନରେ ଡେମୋକ୍ରାଟ୍ ଜୋ ବାଇଡେନଙ୍କର ବିଜୟ ପରେ ଟେସଲା କମ୍ପାନୀର ସେୟାର ମୂଲ୍ୟରେ ବିଶେଷ ଭାବେ ବୃଦ୍ଧି ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.