ଟେସ୍‌ଲାର ଚାଳକବିହୀନ କାର୍ ମାରିଲା ଫେଲ୍ ! ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ, କାର୍ ଚୁରମାର୍

Published By : Prameya-News7 Bureau | April 19, 2021 IST

ହୋଷ୍ଟନ,୧୯/୦୪:  ଟେସଲା କାର୍ ଉପରେ ଅଧିକ ଭରସା କରିବା ପଡିଲା ମହଙ୍ଗା । ବିନା ଡ୍ରାଇଭରରେ ଚାଲୁଥିବା ଗାଡି ଦୁର୍ଘଟଣାର ହେଲା ସମ୍ମୁଖୀନ । ଚାଲିଗଲା ୨ ଜୀବନ ।ଏପରିକି ହୁତୁହୁତୁ ହୋଇ ଜଳିଗଲା କାର୍ । ଆମେରିକାର ହୋଷ୍ଟନ୍ ସହରରେ ଶନିବାର ବିଳମ୍ବିତ ରାତ୍ରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ପୋଲିସ ଅଧିକାରୀ ମାର୍କ ହରମାନ୍‌ଙ୍କ କହିବାନୁସାରେ, ଶନିବାର ରାତିରେ ଏକ କାର୍ ଦୁର୍ଘଟଣା ବାବଦରେ ଖବର ଆସିଥିଲା । କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଗଛରେ ପିଟି ହୋଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି । ଜଣେ ମୃତକ ଆଗ ପାସେଞ୍ଜର୍ ସିଟରେ ବସିଥିବା ବେଳେ ଅନ୍ୟ ଜଣେ ପଛ ସିଟରେ ବସିଥିଲେ । ଡ୍ରାଇଭର୍ ସିଟ୍ ଖାଲିଥିଲା । ଫଳରେ କେହି ଡ୍ରାଇଭର ନଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି । ଏହି କାର୍ ଅଟୋ ମେଟିକ୍ ବା ବିନା ଡ୍ରାଇଭରରେ ଚାଲୁଥିବାରୁ ୨ ଯାତ୍ରୀ ବେଫିକରହୋଇ ବସି ରହିଥିଲେ । କିନ୍ତୁ କାରଟି ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣା ବେଳେ କାରର ଏୟାରବ୍ୟାଗ୍ ଖୋଲିଥିଲା ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏପରିକି ଡ୍ରାଇଭର ଏନଗେଜିଂ ସିଷ୍ଟମ ମଧ୍ୟ ଦୁର୍ଘଟଣା ପୂର୍ବରୁ କାମ ଦେଇଥିଲା ନା ନାହିଁ ସେନେଇ ତଦନ୍ତ ଚାଲିଛି । ମାର୍ଚ୍ଚରେ ୨୭ଟି ଟେସଲା କାର୍ ଦୁର୍ଘଟଣା ବାବଦରେ ଖବର ଆସିଛି । ଏହାମଧ୍ୟରୁ ନିକଟରେ ହିଁ ୩ଟି ଦୁର୍ଘଟଣା ଘଟିଛି ।

ଟେସଲା ପକ୍ଷରୁ ବାରମ୍ବାର ନିଜ ଓ୍ୱେବସାଇଟରେ ବାରମ୍ବାର ଡ୍ରାଇବରଙ୍କୁ ଷ୍ଟିଅରିଂ ନଛାଡିବା ପାଇଁ ଚେତାବନୀ ଦେଉଛି । କାରଣ ଏହାର ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ ସେମି ଅଟୋମେଟିକ୍ ଅଟେ । କିନ୍ତୁ ଅନେକ ଡ୍ରାଇଭର ଚୁପ୍ ଚାପ୍ ରହି ହାତ ଛାଡି ଗାଡି ଚଳାଉଥିବା ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସୁଛି । ସୂଚନାଯୋଗ୍ୟ, ଟେସଲା ଫୁଲ୍ ସେଲ୍ଫ୍ ଡ୍ରାଇଭିଂ ବିଶିଷ୍ଟ କାର୍ ମାର୍କେଟରେ ଲଞ୍ଚ୍ କରିବାକୁ ଯୋଜନା କରୁଛି । ଏହା କମ୍ପାନୀକୁ ଅନେକ ଲାଭ ଦେବ ବୋଲି ନିକଟରେ କହିଥିଲେ କମ୍ପାନୀ ତଥା ସିଇଓ ମୁଖ୍ୟ ଏଲନ୍ ମସ୍କ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.