ଶ୍ରୀନଗରରେ ହଙ୍ଗାମା ମଚାଇଛନ୍ତି ପାକ୍‌ ସମର୍ଥକ : ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼

Published By : Prameya-News7 Bureau | June 05, 2019 IST

ଶ୍ରୀନଗର ୫/୬: ଇଦ୍‌ରେ ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ପଥରବାଜ୍‌ଙ୍କ ବବାଲ । ଇଦ୍‌ ନମାଜ ପାଠ ପରେ ସୁରକ୍ଷାବଳ ଉପରେ ପଥର ଫିଙ୍ଗିବା ସହ ଆତଙ୍କବାଦୀ ଜାକିର ମୁଶା ଏବଂ ମସୁଦ୍‌ ଅଜହରର ପୋଷ୍ଟର ଦେଖାଇ ବିଭିନ୍ନ ପ୍ରକାର ଆପତ୍ତିଜନକ ସ୍ଲୋଗାନ୍‌ ଦେଇଥିଲେ ପଥରବାଜ୍‌ । ସେପଟେ ପୁଲଓ୍ବାମାରେ ଆତଙ୍କବାଦୀ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ।

{"id":120013,"width":595,"height":398}

ଯେଉଁଠି ଇଦ୍‌ ଭଳି ପାକ୍‌ ମୌକାରେ ସାରା ଦେଶ ଖୁସି ମନାଉଛି, ସେଠି ଜମ୍ମୁ-କାଶ୍ମୀରରେ ସାମ୍ନାକୁ ଆସିଛି ପଥରବାଜ୍‌ଙ୍କ ନାପାକ୍‌ ହରକତ୍‌  । ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ଇଦ୍‌ ନମାଜ ପରେ ହଙ୍ଗାମା ମଚାଇଛନ୍ତି ପାକ୍‌ ସମର୍ଥକ । ସୁରକ୍ଷାକର୍ମୀଙ୍କ ଉପରେ ପଥର ମାଡ଼ କରିବା ସହ ଆତଙ୍କବାଦୀ ଜାକିର ମୁଶା, ମସୁଦ୍‌ ଅଜହର ଏବଂ IS ପୋଷ୍ଟର ଉଡ଼ାଇଛନ୍ତି । ଶ୍ରୀନଗରର ଜାମିଆ ମସଜିଦ୍‌ ବାହାରେ ‘କାଶ୍ମୀର ବନେଗା ପାକିସ୍ତାନ’ ନାରା ଦେଇଥିଲେ ହଙ୍ଗାମାକାରୀ । ପରିସ୍ଥିତି ସମ୍ଭାଳିବାକୁ ପହଞ୍ଚିଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଅନ୍ଦାଧୁନ୍‌ ପଥର ଫିଙ୍ଗିଥିଲେ ।

{"id":120014,"width":596,"height":375}

ଯେଉଁଥିରେ ଅନେକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ନିଜକୁ ଆତଙ୍କୀ ମୁଶାର ସମର୍ଥକ ବୋଲି ଖୋଲାଖୋଲି ନାରାବାଜି କରୁଥିବା ଏହି ପଥରବାଜ୍‌ କେବଳ ରାସ୍ତାରେ ନୁହେଁ ପାଖରେ ଥିବା ବିଲଡିଂ ଉପରେ ଚଢ଼ି ପଥର ଫିଙ୍ଗିଥିଲେ । ଫଳରେ ସେମାନଙ୍କୁ କାବୁ କରିବାକୁ ଯାଇ ସୁରକ୍ଷାବଳଙ୍କୁ ଲୁହବୁହା ଗ୍ୟାସ୍‌ ଏବଂ ବ୍ଲାଙ୍କ୍‌ ଫାୟରିଂ ବି କରିବାକୁ ପଡ଼ିଥିଲା । ସେପଟେ ପୁଲଓ୍ବାମାରେ ଆତଙ୍କବାଦୀମାନେ ଜଣେ ମହିଳାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ।

ଆଜି ସକାଳେ ଘଟିଥିବା ଏହି ଘଟଣାରେ ଜଣେ ଛୋଟ ପିଲା ମଧ୍ୟ ଗୁରୁତର ଭାବେ ଆହତ ହୋଇଛି । ସୁରକ୍ଷା ଅଧିକାରୀଙ୍କ ବୟାନ ଅନୁସାରେ ଆତଙ୍କବାଦୀମାନେ ପୁଲଓ୍ବାମା ଜିଲ୍ଲାର କାକାପୋରା ଅଂଚଳରେ ଉତ୍ପାତ ମଚାଇଥିଲେ । ଆତଙ୍କୀଙ୍କ ଗୁଳିରେ ନିହତ ମହିଳାଙ୍କ ନାଁ ନଗିନା ବାନୋ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.