POK ଲଞ୍ଚ୍ ପ୍ୟାଡ୍‌ରେ ଲୁଚିଛନ୍ତି ୨୫୦ ଆତଙ୍କବାଦୀ ! ଭାରତରେ ଅନୁପ୍ରବେଶ ପାଇଁ ଚଳାଇଛନ୍ତି ପ୍ରସ୍ତୁତି : କଡା ଜବାବ ଦିଆଯିବ-ଭାରତୀୟ ସେନା

Published By : Prameya-News7 Bureau | December 27, 2020 IST

ଶ୍ରୀନଗର ୨୭/୧୨ : ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ସେନା ମୁତୟନ ବୃଦ୍ଧି କରିପାରେ ପାକିସ୍ତାନ । ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ସେନାର ଜଣେ ବରିଷ୍ଠ କମାଣ୍ଡର । ସେନାର କୋର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ କହିଛନ୍ତି ଯେ, ମିଳିଥିବା ରିପୋର୍ଟ ଅନୁସାରେ POK ଲଞ୍ଚ୍ ପ୍ୟାଡ୍‌ରେ ପ୍ରାୟ ୨୦୦ ରୁ ୨୫୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ସେ କହିଛନ୍ତି ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ଖରାପ ପାଗକୁ ଅପେକ୍ଷା କରିପାରନ୍ତି । କିନ୍ତୁ ଭାରତୀୟ ସୁରକ୍ଷା ବଳ ଲାଗାତାର ଭାବେ କାଶ୍ମୀର LOCରେ ଅନୁପ୍ରବେଶ ପଥ ଏବଂ ପୀର ପଞ୍ଜାଲର ଦକ୍ଷିଣବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ କଡା ନଜର ରଖିଛନ୍ତି । ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ସେନା ପକ୍ଷରୁ ସେନସର, ରାଡାର ଏବଂ ଅନ୍ୟାନ୍ୟ ଉପକରଣ ଲଗାଯାଇଛି ।

ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ, ଶୀତ ଋତୁରେ ମଧ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶ କିମ୍ବା ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଉତ୍ତେଜନା ବୃଦ୍ଧି କରିପାରିବ ବୋଲି ସେନା କମାଣ୍ଡର କହିଛନ୍ତି । ଉଭୟ ପରିସ୍ଥିତିରେ ଆମେ ପ୍ରସ୍ତୁତ ଅଛୁ ଏବଂ ଏହିପରି ଦୁଃସାହସକୁ କଡା ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

କିଛି ଦିନ ପୂର୍ବରୁ କାଶ୍ମୀରରେ ଶେଷ ହୋଇଥିବା ଜିଲ୍ଲା ବିକାଶ ପରିଷଧ ନିର୍ବାଚନକୁ ନେଇ ମତ ରଖିଛନ୍ତି ସେନାର କୋର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ । ସେ କହିଛନ୍ତି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଏବଂ ଜନସାଧାରଣ ଜାମ୍ମୁ-କାଶ୍ମୀରରେ ଲୋକତନ୍ତ୍ରକୁ ମଜବୁତ କରିବା ଦିଗରେ ଭୋଟ ଦେବାକୁ ଆଗେଇ ଆସୁଛନ୍ତି । ତେବେ ନିର୍ବାଚିତ ପ୍ରତିନିଧିମାନଙ୍କର ଏହା ଉତ୍ତର ଦାୟିତ୍ବ ଯେ, ସେମାନେ ଲୋକମାନଙ୍କର ବିକାଶ କଥା ଚିନ୍ତା କରିବେ ଏବଂ ଜାମ୍ମୁ-କାଶ୍ମୀରର ବିକାଶ ଦିଗରେ କାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.