ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ, ପରୀକ୍ଷା କେନ୍ଦ୍ରକୁ କଲେ ଟାର୍ଗେଟ

Published By : Prameya-News7 Bureau | October 29, 2019 IST

ପୁଲୱାମା :  ଜମ୍ମୁ-କାଶ୍ମୀର ପୁଲୱାମାରେ ପୁଣି ଆତଙ୍କବାଦ ଗତିବିଧିର ସୂଚନା ମିଳିଛି। ମଙ୍ଗଳବାର ଏଠାରେ ଏକ ପରୀକ୍ଷା କେନ୍ଦ୍ରକୁ ଟାର୍ଗେଟ କରି ଆତଙ୍କବାଦୀମାନେ କିଛି ରାଉଣ୍ଡ ଗୁଳି ଚାଳନା କରିଥିବାର ସୂଚନା ମିଳିଛି। ସେମାନେ ପରୀକ୍ଷା କେନ୍ଦ୍ରରେ ମୁତୟନ ସିଆରପିଏଫ ସୁରକ୍ଷାକର୍ମୀ ଓ ପୋଲିସକୁ ଟାର୍ଗେଟ କରି ଏହି ଗୁଳି ଚାଳନା କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଅଞ୍ଚଳକୁ ସିଲକରି ଆତଙ୍କବାଦୀଙ୍କ ତଲାସ କରାଯାଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ପୁଲୱାମା ଦ୍ରବଗାଁବସ୍ଥିତ ଏକ ବିଦ୍ୟାଳୟରେ ପରୀକ୍ଷା ଆୟୋଜନ କରାଯାଇଥିବା ବେଳେ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ। ପରୀକ୍ଷା କେନ୍ଦ୍ରର ସୁରକ୍ଷା ଲାଗି ସ୍ଥାନୀୟ ପୋଲିସ ସମେତ ସିଆରପିଏଫ ଜବାନ ମୁତୟନ ହୋଇଥିଲେ। ତେବେ ଆତଙ୍କବାଦୀମାନେ ସିଆରପିଏଫ ଜବାନଙ୍କୁ ଟାର୍ଗେଟ କରି ୬ରୁ ୭ ରାଉଣ୍ଡ ଗୁଳିଚାଳନା କରିଥିଲେ। ତେବେ ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି।

ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିଚାଳନା ପରେ ଅଞ୍ଚଳକୁ ଘେରାଉ କରି ରଖାଯିବା ସହ ତଲାସ ଅଭିଯାନ ଲାଗି ଅତିରିକ୍ତ ସୁରକ୍ଷାବଳଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେଠାରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.