ଓଡିଶା ସହ ଆତଙ୍କୀ ଲିଙ୍କ୍ ; ରିମାଣ୍ଡରେ ହବିବୁର

Published By : Prameya-News7 Bureau | August 07, 2018 IST

ଭୁବନେଶ୍ୱର ୭/ ୮ : ପୁଣି ଆତଙ୍କୀ ସଂଗଠନ ସହ ଓଡିଶାର ଲିଙ୍କ୍ ପଦାକୁ ଆସିଛି । ଓଡିଶାରେ ଲସ୍କର-ଇ-ତୋଇବାର ଆତଙ୍କୀ ସକ୍ରିୟ ଥିବା ଜଣାପଡିଛି । ଗତକାଲି ଓଡିଶାର ଆତଙ୍କୀ ହବିବୁର ରେହମାନକୁ ଦିଲ୍ଲୀ ବିମାନବନ୍ଦରରୁ ଏନଆଇଏ ଗିରଫ କରିଛି । ହବିବୁର ଗିରଫ ହେବା ପରେ ପୁରା ନେଟଓ୍ବର୍କ ଖୋଲିବା ଲାଗି ତାକୁ ରିମାଣ୍ଡରେ ନେଇଛି ଏନଆଇଏ । ହବିବୁର ରେହମାନର କଲ୍ ରେକର୍ଡ ଯାଞ୍ଚ କରାଯାଉଛି । ଓଡିଶାର ଆଉ କାହା ସହ ତାର ସଂପର୍କ ଅଛି ସେ ନେଇ ଖୋଳତାଡ ଚାଲିଛି । ହବିବୁର ଦୀର୍ଘଦିନ ଧରି ସାଉଦି ଆରବର ରିୟାଦରେ ରହୁଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ହବିବୁର ଜାଲ୍ ପାସପୋର୍ଟରେ ଭାରତ ବାହାରକୁ ଯାଇଥିଲା ୨୦୦୬ମସିହାରେ ଶେଷଥର ଲାଗି ସେ ନିଜ ଭାଇର ବାହାଘର ପାଇଁ ଓଡିଶା ଆସିଥିଲା । ବେଶ୍ କିଛି ଦିନ ହେବ ଏନଆଇଏ ତାର କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ଲସ୍କର-ଇ-ତୋଇବା ଆତଙ୍କବାଦୀ ଶେଖ୍ ଆବଦୁର ନୟିମ ପାଇଁ କାମ କରୁଥିଲା ହବିବୁର । ନୟିମର ନେଟଓ୍ବର୍କ ଖୋଳତାଡ କରୁ କରୁ ହବିବୁର ରେହମାନ ପାଖରେ ପହଞ୍ଚିଥିଲା ଏନଆଇଏ ।ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, ସ୍ଥାନ ଚିହ୍ନଟ କରିବା ଇତ୍ୟାଦି କାମରେ ସେ ଜଡିତ ଥିଲା ।ହବିବୁରର ଘର କେନ୍ଦ୍ରାପଡା ଜିଲ୍ଲା ତେଣ୍ଡାକୁଡା ଗାଁ ମିର୍ ମହଲାରେ । ତାର ବାପା ହେଉଛନ୍ତି ମିର୍ ଅୟିନୁଲ ଖାନ୍ । ଅୟିନୁଲ କହିଛନ୍ତି ଯେ, ହବିବୁର ୧୯୮୫ ମସିହାରୁ ଘର ଛାଡି ମୁମ୍ବାଇରେ ରହି ଆସୁଥିଲା । ମୁମ୍ବାଇ ଗଲା ପରଠାରୁ ସେ ଘରକୁ ଫେରିନାହିଁ । ମୁମ୍ବାଇରୁ ସେ ସାଉଦି ଆରବ ଚାଲିଯାଇଥିଲା । ସେ କେଉଁ ସଂଗଠନ ସହ ମିଶିଛି କଣ କରୁଛି ସେ ବିଷୟରେ ଆମେ କିଛି କହିପାରିବୁନାହିଁ ବୋଲି ମିର୍ କହିଛନ୍ତି । ଘରକୁ ମଧ୍ୟ ତାର ଯିବା ଆସିବା ନାହିଁ । ଯଦି ସେ କିଛି ଦେଶଦ୍ରୋହୀ କାମ କରିଥିବ ତେବେ ତାକୁ ଦଣ୍ଡ ମିଳିବା ଉଚିତ୍ ବୋଲି ମିର୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.