ଜମ୍ମୁ-କାଶ୍ମୀରରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ଆତଙ୍କବାଦୀଙ୍କ ଗୁଳିରେ ପିତା ଓ ଭାଇଙ୍କର ମଧ୍ୟ ମୃତ୍ୟୁ

Published By : Prameya-News7 Bureau | July 08, 2020 IST

ବାନ୍ଦିପୋରା ୮।୭:  ଜମ୍ମୁ-କାଶ୍ମୀର ବାନ୍ଦିପୋରାରେ ଆତଙ୍କବାଦୀ ବୁଧବାର ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ନେତା ଶେଖ୍ ୱସୀମ ବାରୀ ବୋଲି ଜଣାପଡିଛି। ସେ ତାଙ୍କ ପିତା ବଶିର ଅହମ୍ମଦ ଶେଖଙ୍କ ଦୋକାନ ଆଗରେ ଟହଲୁଥିବା ବେଳେ ଆତଙ୍କବାଦୀ ଅଚାନକ ପହଞ୍ଚି ତାଙ୍କ ଉପରକୁ ଅନ୍ଧାଦୁନିଆ ଗୁଳିକରି ପଳାଇଥିଲେ। ଏହି ଗୁଳିକାଣ୍ଡରେ ଦୋକାନରେ ଥିବା ପିତା ବଶିର ଅହମ୍ମଦ ଓ ଭାଇ ସୁଲତାନ ମଧ୍ୟ ପ୍ରାଣ ହରାଇଛନ୍ତି।

ମୃତ ବିଜେପି ନେତାଙ୍କୁ ସୁରକ୍ଷା କଡାକଡି କରାଯାଇଥିଲା। ତେବେ ପିଏସଓ ଥିବା ସତ୍ତ୍ୱେ ନେତାଙ୍କ ପ୍ରାଣ ରକ୍ଷା ହୋଇପାରିନାହିଁ। ଏଣୁ ଶେଖ ୱସୀମଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୭ ଜଣ ସୁରକ୍ଷା କର୍ମୀଙ୍କୁ ପୋଲିସ ଗିରଫ କରିଛି। ୱସୀମଙ୍କ ପୂର୍ବରୁ ଅନନ୍ତ ନାଗରେ ଆତଙ୍କବାଦୀ କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତାଙ୍କୁ ତାଙ୍କ ଘର ନିକଟରେ ଗୁଳିକରି ହତ୍ୟା କରିଥିଲେ। ତେବେ ପୁଣି ଜଣେ ନେତାଙ୍କ ହତ୍ୟା ଘଟଣା ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଲସ୍କର –ଏ-ତୌୟବା ସମ୍ପର୍କିତ ଟିଆରଏଫ ପଣ୍ଡିତାଙ୍କ ହତ୍ୟା ଲାଗି ନିଜକୁ ଦାୟି କରିଥିଲା। ତେବେ ୱସୀମଙ୍କ ହତ୍ୟା ପଛରେ ହାତ କାହାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୱସୀମଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.