କରୋନା ମହାମାରୀ ସଙ୍କଟର ଫାଇଦା ଉଠାଉଛନ୍ତି ଆତଙ୍କବାଦୀ ସଂଗଠନ, ବେକାର ଯୁବକ ହେଉଛନ୍ତି ଜିହାଦୀ

Published By : Prameya-News7 Bureau | April 13, 2020 IST

ବ୍ରୁସେଲ୍ସ ୧୩।୪: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ନେଇ ପଶ୍ଚିମ ଆତଙ୍କବାଦ ବିରୋଧୀ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।ସେମାନେ କହିଛନ୍ତି ଯେ ପାକିସ୍ତାନର ଲଶ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ କୋଭିଡ-୨୯ ଯୋଗୁଁ ସାରା ବିଶ୍ବରେ ଉପୁଜିଥିବା ସଙ୍କଟର ଫାଇଦା ଉଠାଉଛନ୍ତି । ନୂତନ ଜିହାଦୀମାନଙ୍କୁ ପ୍ରସ୍ତୁତ କରୁଛନ୍ତି । ବ୍ରୁସେଲ୍ସର ଥିଙ୍କ ଟ୍ୟାଙ୍କ  ସାଉଥ୍ ଏସିଆ ଡେମୋକ୍ରାଟିକ୍ ଫ୍ରଣ୍ଟର ନିର୍ଦ୍ଦେଶକ ଡକ୍ଟର ସିଗଫ୍ରିଡ୍ ଓ୍ବଲ୍ଫ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଜିହାଦୀ ସଂଗଠନର ଏହା ଏକ ପରମ୍ପରା ରହିଛି ଯେ ସଙ୍କଟ ପରିସ୍ଥିତିରେ ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଜୋରଦାର କରିଥାନ୍ତି । ବିଶେଷ କରି ଆଫଗାନିସ୍ତାନ-ପାକିସ୍ଥାନରେ କରିଥାନ୍ତି ।

ସେ କହିଛନ୍ତି ଯେ,  ଆତଙ୍କୀ ସଂଗଠନ ପାଇଁ ଏଭଳି ବେକାର ଯୁବକ ସହଜରେ ଶିକାର ହୋଇଥାନ୍ତି । ଏହି କଠିନ ପରିସ୍ଥିତିରେ, ଯେତେବେଳେ ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥାନ୍ତି  ସେତେବେଳେ ସେମାନଙ୍କୁ କେବଳ ଖାଦ୍ୟ ଏବଂ କିଛି ଟଙ୍କା ଦେଇ ସେମାନଙ୍କ ଜିହାଦୀ ସଂଗଠନରେ ସାମିଲ କରାଯାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ-୧୯ର ସଙ୍କଟ ଏବେ ସାମ୍ନାରେ ଠିଆ ହୋଇଛି । ଅନ୍ୟପକ୍ଷରେ ଆତଙ୍କବାଦୀମାନେ ମଧ୍ୟ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆମକୁ ସଜାଗ ରହିବା ଆବଶ୍ୟକ କାରଣ ଆତଙ୍କବାଦୀମାନେ ଏହି ପରିସ୍ଥିତିକୁ ଅଧିକ ଭୟାବହ କରିପାରନ୍ତି ।

ଓ୍ବଲ୍ଫ କହିଛନ୍ତି ଯେ, ପାକିସ୍ତାନର ଜିହାଦୀମାନେ ଏହି ସଙ୍କଟକୁ ବ୍ୟବହାର କରି ସେଠାରେ ଥିବା ସରକାରକୁ ଦମନ କରିବା ପାଇଁ ବ୍ୟବହାର କରିଛନ୍ତି । ପ୍ରଶାସନ ବିଫଳ ହେବା ପରି ମନେ ହେଉଛି । ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ଏଠାରେ ରାଜନୈତିକ ପରିସ୍ଥିତିକୁ ଦେଖିବାକୁ ମିଳୁଛି । ପାକିସ୍ତାନ ହେଉଛି ବିଭିନ୍ନ ଇସଲାମିକ ଜିହାଦୀ ସଂଗଠନର ଆଶ୍ରୟସ୍ଥଳ । ଯେପରିକି ଲଶ୍କର-ଏ-ତୋଇବା, ହକାନୀ ନେଟୱାର୍କ, ତାଲିବାନ, ଜୈଶ-ଏ-ମହମ୍ମଦ ଏବଂ ଅନ୍ୟ ସଂଗଠନ ।

ଦେଶରୁ ବିତାଡିତ ହେବା ପରଠାରୁ ଫ୍ରାନ୍ସରେ ଆଶ୍ରୟ ନେଇଥିବା ପାକିସ୍ତାନୀ ସାମ୍ବାଦିକ ତାହା ସିଦ୍ଦିକି କହିଛନ୍ତି ଯେ ମହାମାରୀ ସମୟରେ ଏକ ଭୁଲ୍ ସୂଚନା ଏହାର ଉଦାହରଣ ମଧ୍ୟ ହୋଇପାରେ । ସେ କହିଛନ୍ତି ଯେ ବର୍ତ୍ତମାନ ବିଶ୍ବ ମହାମାରୀର ମୁକାବିଲା ପାଇଁ ଉପାୟ ଖୋଜୁଛି ଏବଂ ଆର୍ଥିକ ପ୍ରଭାବ ଉପରେ ମଧ୍ୟ ଆଲୋଚନା ହେଉଛି କିନ୍ତୁ ଏହା ବ୍ୟତୀତ ଆତଙ୍କବାଦକୁ ଦୂର କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.