ସ୍ଵାଧୀନତା ଦିବସ ପୂର୍ବରୁ ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କୀ ହମଲା, ଦୁଇ ପୋଲିସକର୍ମୀ ସହିଦ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ସ୍ଵାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜୈସ ଇ ମହମ୍ମଦର ଆତଙ୍କବାଦୀ ଶ୍ରୀନଗର ସହରର ବାହ୍ୟ ଇଲାକା ନୌଗାମରେ ଶୁକ୍ରବାର ସକାଳେ ଜାମ୍ମୁ-କାଶ୍ମୀର ପୋଲିସର ଏକ ଦଳ ଉପରେ ଅତର୍କିତ ହମଲା କରି ଆଖିବୁଜା ଗୁଳିମାଡ କରିଛନ୍ତି। ଏହି ହମଲାରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ୍ ଅନୁଯାୟୀ ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀ ନୌଗାମ ବାଇପାସରେ ପୋଲିସର ଏକ ଟିମ୍‌ ଉପରେ ଆଖିବୁଜା ଗୁଳିମାଡ କରିଥିଲେ, ଯେଉଁଥିରେ ତିନି ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଯବାନ ଆଖି ବୁଜିଛନ୍ତି। କାଶ୍ମୀର ପୋଲିସ ମହା ନୀରିକ୍ଷକ ବିଜୟ କୁମାର କହିଛନ୍ତି ଏହି ହମଲା ପଛରେ ଜୈସ ଇ ମହମ୍ମଦର ହାତ ରହିଛି। ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ସାରିଛି। ଶୀଘ୍ର ସେମାନଙ୍କୁ ନିପାତ କରିବୁ  ବୋଲି ବିଜୟ କୁମାର କହିଛନ୍ତି।

ସେ କହିଛନ୍ତି ଆମକୁ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ପୂର୍ବରୁ ପ୍ରତି ବର୍ଷ ଏହି ପରି ଆତଙ୍କବାଦୀ ହମଲା ନେଇ ଗୁଇନ୍ଦା ସୂଚନା ମିଳିଥାଏ। ଆତଙ୍କବାଦୀ ଏହି ପରି କିଛି ହମଲା କରିବାକୁ ଉଦ୍ୟମ କରିବେ ବୋଲି ପୂର୍ବରୁ ଆମ ପାଖରେ ସୂଚନା ଥିଲା।  ଯବାନ ସତର୍କ ଓ ପ୍ରସ୍ତୁତ ଥିଲେ, ମାତ୍ର ଆତଙ୍କବାଦୀ ପଛ ପଟୁ ଆସି ଅତର୍କିତ ଭାବେ ଗୁଳି ମାଡ କରିଥିଲେ।

ପୋଲିସ ଅଧିକାରୀ କହିଛନ୍ତି ଇଲାକାକୁ ଘେରାବନ୍ଦୀ କରାଯାଇଛି ଏବଂ ଆତଙ୍କବାଦୀ ତଲାସି ଜାରି ରହିଛି। ଏହା ଅଣ ଓସରିଆ ମାର୍ଗ ଥିଲା ଏବଂ ସେଠାରେ ସାଧାରଣ ଲୋକଙ୍କ ଯାତାୟତ ଲାଗି ରହିଥିଲା। ଯଦି ଆମ ଯବାନ ପ୍ରତି ଜବାବ ଦେଇଥାନ୍ତେ ତେବେ ସାଧାରଣ ଲୋକଙ୍କ  ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା। ଏଥିପାଇଁ ଆମେ ସଂଯମ ରକ୍ଷା କଲୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.