ଜମ୍ମୁ-କାଶ୍ମୀର କୁଲଗାଓଁରେ ଆତଙ୍କାବଦୀ ଆକ୍ରମଣ, ୫ ଶ୍ରମିକ ନିହତ
29/10/2019 at 9:10 PM

କୁଲଗାଓଁ : ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗର ଠାରୁ ୬୭ କିଲୋମିଟର ଦୂର କୁଲଗାଓଁରେ ମଙ୍ଗଳବାର ଆତଙ୍କବାଦୀ ବଡ ଧରଣର ଆକ୍ରମଣ କରିଛନ୍ତି। ଫଳରେ ଆତଙ୍କବାଦୀଙ୍କ ଗୁଳିରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ପାଇ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତାହତ ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ପ୍ରାରମ୍ଭିକ ସୂଚନାରୁ ଶ୍ରମିକମାନେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ଓ ସମସ୍ତେ ସେଠାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ବୋଲି ଜଣାପଡିଛି। ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ସିଲକରି ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି। ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଜମ୍ମୁ-କାଶ୍ମୀରକୁ ୨୭ ସଦସୀୟ ୟୁରୋପୀୟ ପ୍ରତିନିଧି ମଣ୍ଡଳ ପରିଦର୍ଶନ କରିବା ଅବସରରେ ଆତଙ୍କବାଦୀ ଏହି ନିର୍ମମ କାଣ୍ଡ ଭିଆଇଛନ୍ତି।
ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁ-କାଶ୍ମୀରରେ ପଡୋଶୀ ପାକିସ୍ତାନ ଲଗାତାର ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ଏବେ କାଶ୍ମୀରକୁ ବାହାର ରାଜ୍ୟରୁ ଆସୁଥିବା ବ୍ୟବସାୟୀ, ଟ୍ରକ ଚାଳକ ଓ ଶ୍ରମିକମାନଙ୍କୁ ରାଜ୍ୟରେ ଛପି ରହିଥିବା ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ଆତଙ୍କବାଦୀମାନେ ଗତ ୧୫ ଦିନରେ କାଶ୍ମୀରକୁ ଆସିଥିବା ବାହାର ରାଜ୍ୟର ଜଣେ ସେଓ ବ୍ୟବସାୟୀ, ୪ ଜଣ ଟ୍ରକ ଡ୍ରାଇଭର ଓ ୬ ଜଣ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ସୋମବାର ଜମ୍ମୁ-କାଶ୍ମୀର ଅନନ୍ତ ନାଗରେ ଆତଙ୍କବାଦୀ ନାରାୟଣ ଦତ୍ତ ନାମକ ଜନୈକ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କରିଥିଲେ।