ଗିରଫ ପାକିସ୍ତାନୀ ଆତଙ୍କବାଦୀର ଖୁଲାସା: ୨୦୧୧ ଦିଲ୍ଲୀ ହାଇକୋର୍ଟ ବ୍ଲାଷ୍ଟରେ ସାମିଲ ଥିଲା ଆତଙ୍କୀ ଗୁଲାମ ସରବର

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪/୧୦ : ଦିଲ୍ଲୀରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମାମଲାରେ ନୂଆ ଖୁଲାସା ହୋଇଛି। ଦିଲ୍ଲୀ ଲକ୍ଷ୍ମୀ ନଗରରୁ ଗିରଫ ହୋଇଥିବା ଆତଙ୍କୀ ଅଶରଫ ଆଉ ଜଣେ ଆତଙ୍କବାଦୀର ପରିଚୟ ଦେଇଛି ଯିଏ ୨୦୧୧ ରେ ହୋଇଥିବା ଦିଲ୍ଲୀ ହାଇକୋର୍ଟ ବୋମା ବିସ୍ଫୋରଣରେ ସାମିଲ ଥିଲା। ଏହି ଆତଙ୍କବାଦୀର ନାଁ ଗୁଲାମ ସରବର। ସେ ଗୁଲାମ ସହ ଭାରତ ଆସିଥିଲା ବୋଲି ଅଶରଫ ସ୍ୱୀକାର କରିଛି। 

ଆତଙ୍କୀ ଅଶରଫ ଏହା ମଧ୍ୟ ଖୁଲାସା କରିଛି ଯେ ଗୁଲାମ ସରବର ଦିଲ୍ଲୀ ହାଇକୋର୍ଟର ୫ ନମ୍ବର ଗେଟ ପାଖରେ ସୁଟକେଶ ବୋମା ରଖିଥିଲା। ବୋମା ଜାମ୍ମୁରୁ ଅଣାଯାଇଥିଲା। ଦୁହେଁ ଉଧମପୁର ଓ ଜାମ୍ମୁରେ ମିଶି ଆତଙ୍କୀ ହମଲା କରିଥିଲେ। ଅଶରଫ ସ୍ୱୀକାର କରିଛି ଯେ ଦୁହେଁ ଆଇଏସଆଇ ର ସ୍ଲିପର ସେଲର ଏଜେଣ୍ଟ ଓ ଉଭୟଙ୍କ ଗୁରୁର କୋଡ଼ ନାଁ ନାସିର। ଗୁଲାମ ସରବରକୁ ଏନଆଇଏ ସମେତ ୫ ଏଜେନ୍ସି ଖୋଜୁଛି। 

୨୦୧୧ ସେପ୍ଟେମ୍ବର ୭ ତାରିଖରେ ହାଇକୋର୍ଟର ୪ ଓ ୫ ନମ୍ବର ଗେଟ ମଧ୍ୟରେ ବିସ୍ଫୋରଣ ହୋଇଥିଲା ଯେଉଁଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୭୯ ଜଣ ଆହତ ହୋଇଥିଲେ। ସେତେବେଳେ ପ୍ରାୟ ୨୦୦ ଲୋକ କୋର୍ଟ ଭିତରକୁ ଯିବାକୁ ନିଜର ପାସ ତିଆରି କରୁଥିଲେ। ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ହରକତ ଉଲ ଜିହାଦ ଅଲ ଇସ୍ଲାମୀ (ହୁଜି) ନିଜକୁ ଦାୟୀ କରିଥିଲା। ହାଇକୋର୍ଟ ବାହାରେ ହୋଇଥିବା ବିସ୍ଫୋରଣରେ ଅଶରଫ ହାଇକୋର୍ଟ ବାହାରେ ତଦାରଖ କରିଥିଲା। ତାଛଡା ୨୦୧୧ ମସିହା ପାଖାପାଖି ସେ ଆଇଟିଓ ସ୍ଥିତ ପୋଲିସ ମୁଖ୍ୟାଳୟ ଓ ଆଇଏସବିଟିର ମଧ୍ୟ ତଦାରଖ କରିଥିଲା।

ଆତଙ୍କୀ ଅଶରଫକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏକ ସୂଚନା ପାଇ ଲକ୍ଷ୍ମୀ ନଗର ଅଞ୍ଚଳରୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.