ଗାଁ ଲୋକଙ୍କ ନିଦ ହଜାଇ ଦେଲାଣି କଲରା ପତିରିଆ ବାଘ: ଦିନ ଦିପହରେ ପଡି ଯାଉଛି ତାଟି-କବାଟ
8/01/2021 at 12:23 PM

ନୂଆପଡା୮/୧: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଅଞ୍ଚଳରେ ବାଘ ଆତଙ୍କ। ଗତ କିଛିଦିନ ହେବ ବାଘ ଗାଁରେ ଆତଙ୍କ ଖେଳାଉଥିବା ବେଳେ ବାରମ୍ବାର କରୁଛି ଧନ ଜୀବନ ନଷ୍ଟ । ଗୋଟି ଗୋଟି ଛେଳି ଆଉ ମେଣ୍ଢା ଟେକି ନେଉଛି । ଲୋକଙ୍କ ନିଦ ହଜାଇ ଦେଲାଣି କଲରା ପତରିଆ ବାଘ। ରାତି କଥା ଛାଡ, ଦିନବେଳା ବି ତାଟି କବାଟ ବନ୍ଦ। ସୁରକ୍ଷା ପାଇଁ ଦାବୀ ରହିଥିବା ବେଳେ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ବନ ବିଭାଗ।
କିଛି ବର୍ଷ ହେବ ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଲାଗି ରହିଛି। ଦୁଇବର୍ଷ ତଳେ ଖରିଆର ରୋଡ ରେଞ୍ଜ ହଳଦି ଗାଁରେ ମାଁ କୋଳରୁ ଛଅ ବର୍ଷର ଶିଶୁ ଛଗନକୁ ଖାଇଲା ପରେ ନୂଆପଡା ଜିଲ୍ଲାରେ ବାଘ ମାତିଥିବା କଥା ନଜରକୁ ଆସିଥିଲା। ବାରମ୍ବାର ବାଘ ଗାଁ ମୁହାଁ ହେବା ସହ ଆତଙ୍କିତ କରିବା ପରେ ବନ ବିଭାଗ ପକ୍ଷରୁ ପିଞ୍ଜରା ଲଗାଇ ଦୁଇଟି ବାଘକୁ ଆୟତ୍ତ କରି ନନ୍ଦନକାନନ ପଠାଯାଇଥିଲା। ପରେ ପରେ ସ୍ଥାନୀୟ କୁକୁଡାଟାଲରେ ମଧ୍ୟ ଚଟାଣ ଉପରେ ବାଘ ଶୋଇଥିବା ଲୋକେ ଦେଖିଥିଲେ।
ଏବେ ବିରସିଂ ପଡାରେ ଆତଙ୍କ ମଞ୍ଚାଉଛି ବାଘ । ଯାହାକୁ ନେଇ ଲୋକେ ଭୟରେ ଦିନ କାଟୁଥିବା ବେଳେ ହଳଦି ଗାଁର ପୁନରାବୃତ୍ତି ହେବା ପୂର୍ବରୁ ବନ ବିଭାଗ କିଛି ବ୍ୟବସ୍ଥା କରୁ ବୋଲି ଲୋକେ ଅନୁରୋଧ କରିଛନ୍ତି । ଅନ୍ୟପଟେ ଦରକାର ପଡିଲେ ଲୋକଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ତାରଜାଲିର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କୋମନା ରେଞ୍ଜର ଜଗଦିଶ ଦୁରିଆ।