ଘନେଇବାରେ ଲାଗିଛି ଚୀନ୍-ତାଇୱାନ ତିକ୍ତତା, ଚୀନ୍‌କୁ ଜଗିବା ପାଇଁ ଆମେରିକା ନେଲା ବଡ଼ ପଦକ୍ଷେପ

Published By : Prameya-News7 Bureau | January 25, 2021 IST

ୱାଶିଂଟନ୍, ୨୫/୧: ଆମେରିକାରେ ବାଇଡେନ୍ ଶାସନ ଲାଗୁ ହେବା ପରେ ୟୁଏସ୍ ଏବଂ ଚୀନ୍ ମଧ୍ୟରେ ପୂନର୍ବାର ଶତ୍ରୁତାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହିଥର ପଡ଼ୋଶୀ ରାଷ୍ଟ୍ର ତାଇୱାନକୁ ନେଇ ଏହି ତିକ୍ତତା ଦେଖିବାକୁ ମିଳିଛି । ପ୍ରଥମେ ଚୀନ୍‌ର ୧୨ ଯୁଦ୍ଧ ବିମାନ ତାଇୱାନର ବାୟୁସୀମା ଭିତରେ ପ୍ରବେଶ କରିଥିଲା । ଏହାର ଜବାବରେ ଆମେରିକା ତାହାର ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗରକୁ ପଠାଇଛି ।

ଗତ ରବିବାର ଆମେରିକାର ସେନା କିଛି ୟୁଏସ୍ଏସ୍ ଥିୟୋଡୋର ରୁଜବେଲ୍ଟ (ବିମାନ ବାହାକ ପୋତ ) ଯୁଦ୍ଧପୋତ ଦକ୍ଷିଣ ଚୀନ୍ ସାଗରକୁ ପଠାଇଯାଇଥିବା କହିଛି । ଏହି ଯୁଦ୍ଧପୋତ ସମୁଦ୍ରର ସ୍ୱତନ୍ତ୍ରତା ମିଶନକୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଥିବା ଆମେରିକା ପକ୍ଷରୁ କୁହାଯାଇଛି । ବିସ୍ତାରବାଦୀ ଚୀନ୍ ତାଇୱାନକୁ ତାର ନଜର ଅଶଂ ବୋଲି ଦାବି କରି ଆସୁଛି ଏବଂ ବାରମ୍ୱାର ତାଇୱାନ ସୀମା ଉଲଙ୍ଘନ କରି ପ୍ରବେଶ କରୁଛି । ଶନିବାର ଚୀନ୍ର ୧୨ଟି ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା ।

ଏଥି ମଧ୍ୟରେ ୮ଟି ପରମାଣୁ ମିଶାଇଲ୍ ବାହୀ ବିମାନ ସାମିଲ୍ ଥିବା ବେଳେ ୪ଟି ଜେ-୧୬ ବିମାନ ରହିଥିଲା । ଏହାପରେ ଆମେରିକା ଚୀନ୍କୁ ଚେତାବନୀ ଦେଇଥିଲା ଏବଂ ତତ୍‌କ୍ଷଣାତ ଯୁଦ୍ଧପୋତକୁ ଚୀନ୍ ସାଗରକୁ ପଠାଇ ଦେଇଥିଲା । ଗତ କିଛି ବର୍ଷ ହେବ ଦକ୍ଷିଣ ଚୀନ୍ ସାଗରର ଅନେକ ଅଶଂ ଉପରେ ଚୀନ୍ କବ୍‌ଜା କରି ରଖିଛି । ତେଣୁ ଏହି ଯୁଦ୍ଧପୋତ ରୋଟିନ୍ ଅପରେଶନ୍ ରେ ବାହାରିଛି ଏବଂ ଏହାଦ୍ୱାରା ସମୁଦ୍ରରେ ସ୍ୱତନ୍ତ୍ରତା ବଜାୟ ରହିପାରିବ ବୋଲି ଆମେରିକା କହିଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଆମେରିକାର ନୌସେନା ଅଧିକାରୀ ତଥା ସମୁଦ୍ରରେ ଥିବା ଷ୍ଟ୍ରାଇକ୍ ଗ୍ରୁପ୍‌ର କମାଣ୍ଡର ରିୟର ଆଡମିରାଲ୍ ଡଗ୍ ଭେରିସିମୋ ତାଙ୍କ ସହକର୍ମୀଙ୍କ ସୁରକ୍ଷା କରିବା ସହିତ, ଏହି ସମୁଦ୍ରରେ ଆମେ ନିତିଦିନିଆ ଅପରେସନ୍ କରୁଛୁ ବୋଲି କହିଛନ୍ତି । ଏହା ବ୍ୟତୀତ ସମୁଦ୍ରର ସ୍ୱତନ୍ତ୍ରତାକୁ ସୁନିଶ୍ଚିତ କରିବା ସହିତ ଆମେରିକାର ସହଯୋଗୀ ଦେଶଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭରସା ଦେଉଛୁ ବୋଲି ନୌସେନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.