ସଚିବାଳୟ ଘେରାଉ ବେଳେ ବିଜେପି କର୍ମୀ ଏବଂ ପୋଲିସ ଧସ୍ତା ଧସ୍ତି, ଜଣେ ମୃତ, ଅନେକ ଆହତ
7/12/2020 at 8:32 PM

କୋଲକାତା ୦୭/୧୨ : ଉତ୍ତର-ପଶ୍ଚିମବଙ୍ଗର ସିଲିଗୁଡିରେ ଏକ ରାଲି ବେଳେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ହେଉଥିବା ବିରୋଧ ପ୍ରଦର୍ଶନ ବେଳେ ପୋଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି । ତେବେ ସଚିବାଳୟକୁ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା । ପରିସ୍ଥିତି ଅଣାୟତ ହେବାରୁ ପୋଲିସ ପକ୍ଷରୁ ପାଣି ମାଡ ଏବଂ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ତେବେ ଏଥିରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ଏହି ରାଲି ତୃଣମୂଳ କଂଗ୍ରେସ (ଟିଏମସି) ସରକାର ବିରୋଧରେ ଚାଲିଥିବା ଆନ୍ଦୋଳନ ଏକ ଅଂଶ ଥିଲା । ଧାରା ୧୪୪ ଅନୁଯାୟୀ ନିଷେଧାଦେଶ ଉଲ୍ଲଂଘନ କରି ଭାରତୀୟ ଜନତା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଦୁଇଟି ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଉତ୍ତର ବଙ୍ଗଳାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି ଏବଂ ଶାସକ ଦଳ ଆରମ୍ଭ କରୁଥିବା ଜନ କଲ୍ୟାଣ ଯୋଜନାର ଲାଭ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଛି ।
ତେବେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଦେଖି ଅନ୍ୟପଟେ ନାରାବାଜି ଦେଉଥିବା କର୍ମୀମାନେ ପୋଲିସ ଉପରକୁ ପଥର ମାଡ କରିଥିଲେ । କିଛି କର୍ମୀ ବାଉଁଶ ବ୍ୟାରିକେଡରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ତେବେ ଏହି ଧସ୍ତା ଧସ୍ତି ମଧ୍ୟରେ ଜଣେ ବିଜେପି କର୍ମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ବିଜେପି କର୍ମୀମାନେ ବିଭିନ୍ନ ନାରାବାଜି ଦେଇଥିଲେ । ତେବେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପାଣି ମାଡ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରଯୋଗ କରିଥିଲା । ମୃତକଙ୍କ ପୋଷ୍ଟମର୍ଟମ ପରେ ପ୍ରକୃତ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।
ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଯିଏକି ଏହି ରାଲିକୁ ଆୟୋଜନ କରିଥିଲେ, ଘଟଣା ପରେ ପ୍ରତିକ୍ରିୟା ଦେଇଛନ୍ତି ଯେ ରାଜ୍ୟରେ ବିଜେପିର ଉତ୍ଥାନ ଦେଖି ସରକାର ପ୍ରତିକ୍ରିୟା ପରାୟଣ ହୋଇ ଏସବୁ କରୁଛନ୍ତି ।