ମହାପ୍ରସାଦ ବିକ୍ରି ହେବ କେଉଁଠି ? ଶ୍ରୀଗୁଣ୍ଡିଚା ମନ୍ଦିରରେ ବିକ୍ରି ପାଇଁ କହୁଛନ୍ତି ସରକାର, ରାଜି ନୁହେଁ ସୂପକାର ନିଯୋଗ, ରଖିଲେ ବିକଳ୍ପ ପ୍ରସ୍ତାବ

Published By : Prameya-News7 Bureau | July 26, 2020 IST

ପୁରୀ ୨୬।୦୭: କୋଭିଡ୍‌ ଲକ୍‌ଡାଉନ କାରଣରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । ଚାରି ମାସ ହେଲାଣି ଏହି କଟକଣା ଲାଗୁ ହେଲାଣି । ଭକ୍ତମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିକାର ପାଇଁ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରଶାସନ ପ୍ରସ୍ତାବ ଦେଉଛି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରସାଦ ବିକ୍ରି କରାଯାଉ । ଘୋଷଯାତ୍ରା ବେଳେ ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ମହାପ୍ରସାଦ ପାଇଥିଲେ । ତେଣୁ ଏଠାରେ ଭକ୍ତଙ୍କ ପାଇଁ ମହାପ୍ରସାଦ ବିକ୍ରି କରିବାକୁ ପ୍ରଶାସନ ପ୍ରସ୍ତାବ ଦେଇଥିଲା । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗର ବୈଠକ ବସିଥିଲା । ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତାବକୁ ସୁପକାର ନିଯୋଗ ବୈଠକ ଅଗ୍ରାହ୍ୟ କରି ଦେଇଥିବାର ସୂଚନା ମିଳିଛି।

{"id":305719,"sizeSlug":"large"}

ପ୍ରତି ବଦଳରେ ନିଯୋଗ ପକ୍ଷରୁ ମହାପ୍ରସାଦର ସୁଲଭ ପ୍ରାପ୍ତି ପାଇଁ ଏକ ପ୍ରସ୍ତାବ ମନ୍ଦିର ପ୍ରଶାସନକୁ ଦିଆଯାଇଛି । ଉତ୍ତର ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ସାମନାରେ ଉଚ୍ଛେଦ ହୋଇଥିବା ମଠ ଜାଗାରେ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର ଖୋଲି ମହାପ୍ରସାଦ ବିକ୍ରି ନିମନ୍ତେ ନିଯୋଗ ପ୍ରଶାସନକୁ ପ୍ରସ୍ତାବ ଦେଇଛି । ଏହି ନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ ବୋଲି ସୁଆର ମହାସୁଆର ନିଯୋଗ ସମ୍ପାଦକ କାଳିଆ ପ୍ରତିହାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଶୃଙ୍ଖଳାର ସହ ଗୁଣ୍ଡିଚା ମନ୍ଦିର ପାଖ ବସ୍‌ଷ୍ଟାଣ୍ଡରେ ରଥଯାତ୍ରା ବେଳେ ମହାପ୍ରସାଦ ବିକ୍ରି କରିଥିଲୁ । ଏବେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରସାଦ ବୋଝେଇ ନେଇ ରଖିବୁ । ଗ୍ରାହକ ନ ଆସିଲେ ଫେରାଇ ଆଣିବୁ । ଏବେ ତ ଲକ୍‌ଡାଉନ୍‌ କାରଣରୁ ନିଯୋଗ ଏବଂ ସୁପକାରମାନେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ପୁଣି ଥରେ ଗାଡ଼ି ଭଡ଼ା ଦେଇ ମହାପ୍ରସାଦ ବୋଝେଇ ନେବା ଏବଂ ଫେରାଇ ଆଣିବା ଖର୍ଚ୍ଚ ଆମକୁ ବାଧିବ । ତେଣୁ ନିଯୋଗ ଶ୍ରୀମନ୍ଦିର ଉତ୍ତର ଏବଂ ଦକ୍ଷିଣ ଦ୍ୱାର ସାମ୍ନାରେ ଷ୍ଟଲ ପକାଇ ମହାପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ଦେଇଛି । ଏହା କାର୍ଯ୍ୟକାରୀ ହେଲେ ଆମେ ଉପକୃତ ହୋଇପାରିବୁ ।

ନିଯୋଗ ସୂଚନା ମୁତାବକ ଶ୍ରୀମନ୍ଦିର ସେବକ ପରିବାର ଲୋକ ଏବଂ ଆଉ କିଛି ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି । ରୋଷଘରେ ଦଶ ବାରଟି ଚୂଲି କେବଳ ଜଳୁଛି । ଆନନ୍ଦ ବଜାରରେ ଦୁଇଟି ଦୋକାନ ଖୋଲୁଛି । ୩୦୦/୪୦୦ ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଛି । ଏହା ବ୍ୟତୀତ ବରାଦି ଭୋଗ ମୁତାବକ କେବେ କେମିତି ରୋଷେଇ ହେଉଛି । ଏହା ଦ୍ୱାରା ୧୨ ଶହରୁ ଅଧିକ ସୁପକାରଙ୍କ ଆର୍ଥିକ ସଙ୍କଟ ପ୍ରତିଦିନ ବଢ଼ୁଛି । ଏହାର ପ୍ରତିକାର ପାଇଁ ନିଯୋଗର ବୈଠକ ଡାକି ଶ୍ରୀମନ୍ଦିରର ଦୁଇ ଦ୍ୱାର ସାମ୍ନାରେ ମହାପ୍ରସାଦ ବିକ୍ରି ପ୍ରସ୍ତାବ ଦିଆଯାଇଛି । ନିଯୋଗ ଆଶା କରୁଛି ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବ ।

{"id":305720,"width":575,"height":383,"sizeSlug":"large"}

ଭକ୍ତଙ୍କ ପ୍ରବେଶ କଟକଣା ଯୋଗୁ ଶ୍ରୀମନ୍ଦିର ଆନନ୍ଦ ବଜାର ନିର୍ଜନ । ହାତ ଗଣତି ମହାପ୍ରସାଦ ଦୋକାନ ନନ୍ଦବଜାରରେ ଖୋଲୁଛି । ଏହି ଦୋକାନରୁ ମହାପ୍ରସାଦ ବାହାରକୁ ନେଇ ବିତରଣ ହେଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ଷ୍ଟଲର ସଫଳତା ଆଧାରରେ ଏବେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନାରେ ସୁପକାର ନିଯୋଗ ପକ୍ଷରୁ କାଉଣ୍ଟର ଖୋଲାଯାଇଛି । ଏହି କାଉଣ୍ଟରରେ ଭକ୍ତଙ୍କ ଚାହିଦା ମୁତାବକ ମହାପ୍ରସାଦ ପାଇଁ ଅର୍ଥ ଦାଖଲ ହେଉଛି । ଆଗ୍ରହୀ ଲୋକମାନେ ଟିକଟ ନେଇ ମହାପ୍ରସାଦ ପାଇଁ ଅପେକ୍ଷା କରୁଛନ୍ତି । ମହାପ୍ରସାଦ ବାହାରିବା ପରେ ଏହି କାଉଣ୍ଟରରେ ଟିକଟ ଦାଖଲ କରି ଭକ୍ତମାନେ ମହାପ୍ରସାଦ ପାଉଛନ୍ତି । ଅନ୍ୟପକ୍ଷରେ ବରାଦି ମହାପ୍ରସାଦ ପାଇଁ ମଧ୍ୟ ଦକ୍ଷିଣ ଦ୍ୱାର ପାହାଚରେ ମହାପ୍ରସାଦ ରଖି ବିତରଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.