ଫୁଲ ତୋଳା କଳିରୁ ଜାତିଭେଦକୁ କଥାଗଲା, ଗୋଟିଏ ସାହିକୁ ଗାଁ କଲା ବାସନ୍ଦ : ୪ ମାସ ପରେ ବୁଝିଲା ମନ

Published By : Prameya-News7 Bureau | August 22, 2020 IST

କାମାକ୍ଷାନଗର ୨୨।୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ଗାଁରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି । କିଛି ଦିନ ପୂର୍ବରୁ ଗାଁ ଜଣେ ଯୁବତୀ ଜଣେ ଅନ୍ୟ ଜାତିର ବ୍ୟକ୍ତିଙ୍କ ବାଡିରୁ  ସୁର୍ଯ୍ୟମୁଖୀ ଫୁଲ ତୋଳିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଯାହାଫଳରେ ଗାଁର ସେହି ଜାତିର  ୪୦ ପରିବାରକୁ ଗାଁରୁ ନିଆଁପାଣି ବାସନ୍ଦ କରାଯିବା ସହ ପିଡିଏସ୍‌ ସାମଗ୍ରୀ ନେବାକୁ ବାରଣ କରାଯାଇଥିଲା । ତେବେ ଗତାକାଲି ପ୍ରଶାସନର ହସ୍ତକ୍ଷେପ ପରେ ଦୁଇ ଜାତି ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଛି ।

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ କନ୍ତିଓକାଟେଣୀ ଗାଁ ଜଣେ ଯୁବତୀ ଅନ୍ୟ ଏକ ଜାତିର ବ୍ୟକ୍ତିଙ୍କ ବାଡିରୁ ସୂର୍ଯ୍ୟମୁଖୀ ଫୁଲ ତୋଲିଦେଇଥିଲେ । ପୂଜା ପାଇଁ ଫୁଲ ତୋଳିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ଉଭୟଙ୍କ ପକ୍ଷରୁ ତୁମୁସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ପରବର୍ତ୍ତି ସମୟରେ ଗାଁରେ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ପରବର୍ତ୍ତି ସମୟରେ ଦୁଇ ଜାତି ମଧ୍ୟରେ ବିବାଦ କମିନଥିଲା । ଏମିତିକି ଅନ୍ୟ ଜାତି ଲୋକମାନଙ୍କୁ ନିଆଁ ପାଣି ବାସନ୍ଦ କରିବା ସହ ଗାଁର କୈାଣସି ଦୋକାନରୁ ଜିନିଷ କିଣିବାକୁ ବାରଣ କରିଦେଇଥିଲେ । ଏମିତିକି ରାସନ ଜିନିଷ ନେବାକୁ ମଧ୍ୟ ଛାଡି ନଥିଲେ। ଗାଁର କୌଣସି ବ୍ୟକ୍ତି ଯଦି ଅନ୍ୟଜାତିର ଲୋକ ସହିତ ସହିତ କଥା ହୁଏ , ତେବେ ୧୦୦୦ ଟଙ୍କା ଜରିମନା ଦେବାକୁ ନିଷ୍ପତ୍ତି ହୋଇଥିଲା ।

ସେହି ଜାତି ଲୋକଙ୍କୁ ଚାଷ ବିଲକୁ ବି ସେମାନେ ଛାଡି ନଥିଲେ। ଯାହାଫଳରେ ପୂନର୍ବାର ଗତ ୧୩ ତାରିଖରେ ତୁମୁସିଙ୍ଗା ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ ବାସନ୍ଦ ହୋଇଥିବା ଜାତିର ଲୋକେ । ଏତଲାରେ ଗତ ୪ମାସ ହେଲା ଅନ୍ୟଜାତିର ବ୍ୟକ୍ତିମାନେ ଆମକୁ ସାମାଜିକ ବାସନ୍ଦ କରି କୈାଣସି ପ୍ରକାରର ଚଳଣିକୁ ବାରଣ କରିଛନ୍ତି। ଥାନା ଅଧିକାରୀ କିଛି ନବୁଝିବାରୁ ଗ୍ରାମବାସୀମାନ ବାଧ୍ୟ ହୋଇ ଏସ୍‌ପି, ଜିଲ୍ଲାପାଳଙ୍କ ସମେତ ଉପଜିଲ୍ଲାପାଳଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଇଥିଲେ। ଏହା ପରେ ଗତକାଲି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ତହସିଲଦାର, ଥାନା ଅଧିକାରୀ ସମେତ ଗାଁ ସରପଞ୍ଚ, ସଭାପତି ଓ ଉଭୟ ପକ୍ଷଙ୍କ ଲୋକଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଛି । ପୂର୍ବରୁ ଯେପରି ଭାଇଚାରା ଭାବରେ ଚଳୁଥିଲେ,  ସେହିପରି ଚଳିବେ ବୋଲି ଉଭୟ ପକ୍ଷ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.