ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ, ନର୍ସିଂହୋମରେ ଉତ୍ତେଜନା

Published By : Prameya-News7 Bureau | May 23, 2020 IST

ବାରିପଦା ୨୩।୫: ଉତ୍ତମ ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରି ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କଲେ । କିନ୍ତୁ ସେଠାରେ ବି ଚିକିତ୍ସାରେ ଅବହେଳା କାରଣରୁ ନବଜାତ ଶିଶୁର ଜୀବନ ଚାଲି ଯାଇଥିବା ଅଭିଯୋଗ ଆଣି ଉତ୍ତେଜନା ଦେଖାଦେଇଛି । 

ସୂଚନାଯୋଗ୍ୟ ଯେ, ସ୍ଥାନୀୟ ତଖତପୁରର ରମେଶ ଚନ୍ଦ୍ର ସିଂହଙ୍କ ପତ୍ନୀ ସୁନୀତାଙ୍କୁ ଗତ ୧୬ ତାରିଖରେ ପ୍ରସବ ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୭ ତାରିଖରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ  ସୁନୀତା । ଜନ୍ମ ହେବାର କିଛି ସମୟ ପରେ ଶିଶୁଟିର ଶରୀର ଧିରେ ଧିରେ କଳା ପଡି ଯାଇଥିଲା । ତେବେ ପରିବାର ଲୋକେ ଏ ବିଷୟରେ ପଚାରିବାରୁ କିଛି ଅସୁବିଧା ନଥିବା କହିଥିଲେ ପ୍ରସବ କରାଇଥିବା ଡାକ୍ତର । ତେବେ ଏଠାରେ କୌଣସି ଶିଶୁରୋଗ ବିଶେଷଜ୍ଞ ଉପସ୍ଥିତ ନଥିଲେ । ତେଣୁ ନବଜାତର ଶରୀର ଅତି ଖରାପ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ପରିବାର ଲୋକେ । ଶିଶୁର ଶରୀର ଅତି ଉଦବେଗଜନକ ଥିବା ଦର୍ଶ।ଇ ତାକୁ ଯଥାଶୀଘ୍ର କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ପିଆରଏମର ଡାକ୍ତର । ପରାମର୍ଶ ଅନୁସାରେ ଶିଶୁଟିକୁ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାର ମୃତ୍ୟୁ ହୋଇ ଯାଇଥିଲା । ଯାହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ବାରିପଦା ସ୍ଥିତ ହସ୍ପିଟାଲରେ ଉତ୍ତେଜନ ପ୍ରକାଶ ପାଇଥିଲା ।

ନବଜାତ ଶିଶୁର ମୃତ୍ୟୁ ବାବଦରେ ଚିକିତ୍ସାରେ କୌଣସି ଅବହେଳା ହୋଇ ନଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । କେବଳ ସେତିକି ନୁହେଁ, ସେଠାରୁ ଯିବା ପରେ ପିଆରଏମ ମେଡିକାଲ କିମ୍ବା କଟକ ସ୍ଥିତ ଶିଶୁଭବନରେ କୌଣସି ଅସୁବିଧା କାରଣରୁ ଶିଶୁଟିର ମୃତ୍ୟୁ ହୋଇଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଚେଷ୍ଟା କରିଛନ୍ତି ହସ୍ପିଟାଲର କର୍ତ୍ତୃପକ୍ଷ । 

ହସ୍ପିଟାଲ ର କର୍ତ୍ତୃପକ୍ଷ ନିଜ ଦୋଷ ଘୋଡାଇବାକୁ ସରକାରୀ ଡାକ୍ତରଖାନାର ଡାକ୍ତରମାନଙ୍କ ମୁଣ୍ଡରେ ଅଠା ବୋଳିବା କତେଦୂର ଯଥାର୍ଥ ତାହା ସବୁଠି ଚର୍ଚ୍ଚା । ତେବେ ଏହି ଶିଶୁଟିର ମୃତ୍ୟୁ ପାଇଁ ପ୍ରକୃତ ପକ୍ଷେ କିଏ ଦାୟୀ ତାହା ତଦନ୍ତ ସାପେକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.