ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ଉତ୍ତେଜନା : ରାଜୁ ହନ୍ତାଳଙ୍କ ମୃତ୍ୟୁକୁ ନେଇ ତାତିଲେ ବିଚ୍ଛିନ୍ନାଞ୍ଚଳବାସୀ

Published By : Prameya-News7 Bureau | September 20, 2019 IST

ମାଲକାନଗିରି ୨୦।୯: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ଉତ୍ତେଜନା ।  ବିଏସଏଫ ଜବାନଙ୍କ ମାଡରେ ପ୍ରାଣ ହରାଇଥିବା ରାଜୁ ହନ୍ତାଳଙ୍କ ମୃତ୍ୟୁକୁ ନେଇ ପୁଣି ତାତିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ । ଧୁଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗ୍ରାମର ରାଜୁ ହନ୍ତାଳ ଗତ ଶୁକ୍ରବାର ଦିନ ନିଜର ଦୁଇ ଝିଅଙ୍କ ସହ ଯନ୍ତାପାଇ ସାପ୍ତାହିକ ହାଟକୁ ଯାଇଥିବା ବେଳେ ୨ ଜଣ ବିଏସଏଫ ଜବାନ ରାଜୁଙ୍କୁ ଡାକି ନେଇ ନିସ୍ତୁକ ମାଡ଼ ମାରିଥିଲେ । ପରେ ନିଖୋଜ ଥିବା ରାଜୁଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା ଯନ୍ତାପାଇ ଅଙ୍ଗନଓ୍ବାଡି କେନ୍ଦ୍ରରୁ । ରାଜୁ ହନ୍ତାଳଙ୍କୁ ବିଏସଏଫ ଜବାନମାନେ ହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକେ ।

{"id":160012}

ଘଟଣାର ତଦନ୍ତ କରି ଦୁଇ ବିଏସଏଫ ଜବାନଙ୍କ ଗିରଫ କରିବା ଲାଗି ଦାବି କରିଥିଲେ ବିଚ୍ଛିନ୍ନାଞ୍ଚଳବାସୀ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଉତ୍ତେଜିତ ଲୋକେ ଗତ ରବିବାର ଦିନ ବଡପଡା ଥାନା ଘେରାଉ କରିବା ସହ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏହା ପରେ ମାଲକାନଗିରି ଏସପି ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଥିଲେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳବାସୀ ।

{"id":160015}

ତେବେ ବର୍ତ୍ତମାନ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ପୁଣି ଥରେ ତାତିଛନ୍ତି ବିଚ୍ଛିନ୍ନାଞ୍ଚଳବାସୀ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଜି ଯନ୍ତାପାଇ ସାପ୍ତାହିକ ହାଟକୁ ବନ୍ଦ କରିବା ଲାଗି ଘୋଷଣା କରିଛି ପ୍ରଶାସନ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଦୁଇ କମ୍ପାନୀ ବିଏସଏଫ ଜବାନଙ୍କ ସହ ଏସଓଜି ବାହିନୀ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.