ପୋଷ୍ଟ ମାଷ୍ଟରଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | November 26, 2020 IST

ବଲାଙ୍ଗୀର ୨୬।୧୧ : ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ ନିକଟରେ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ପୋଷ୍ଟର ମାଷ୍ଟର ଔଷଧ ପ୍ରଧାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ ଔଷଧ ପ୍ରଧାନ ନିକଟସ୍ଥ ନଦୀରୁ ଶୌଚ କରି ଫେରିବା ସମୟରେ ତମିଆଁ ଗାଁର ଭକ୍ତ ନାଏକ ନାମକ ଜଣେ ବ୍ୟକ୍ତି ଅତିର୍କିତ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆରେ ଆକ୍ରମଣ କରିବା ଦ୍ୱାରା ପୋଷ୍ଟ ମାଷ୍ଟରଙ୍କ ମୁଣ୍ଡ, ବେକ ଓ ମୁହଁରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ ।

କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।  ଘଟଣାକୁ ନେଇ ପରିବାର ପକ୍ଷରୁ ଲରମ୍ଭା ଥାନାରେ ଏକ ଅଭିଯୋଗ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଆକ୍ରମଣ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାରେ ଛାନ୍‌ଭିନ୍‌ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା କରିଛନ୍ତି ।

ଅନ୍ୟ ପଟେ ପୂର୍ବ ଶତୃତାକୁ ନେଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି । ଗତ ୮ ବର୍ଷ ତଳେ ଏକ ଘଟଣାରେ ଅଭିଯୁକ୍ତ ଭକ୍ତ ନାଏକଙ୍କ ଏତଲା କ୍ରମେ ଔଷଧ ପ୍ରଧାନ ଜେଲ ଯାଇଥିଲେ । ସେହି ଘଟଣାକୁ ନେଇ ଏଭଳି ମରଣାନ୍ତକ ଆକ୍ରମଣ ହୋଇଥାଏ ବୋଲି ଅନୁମାନ କରାଯାଉଛି । ଘଟଣା ବିଷୟରେ ଜାଣିବା ପରେ ଲରମ୍ଭା ପୋଲିସ ଏକ ମାମଲା ରୁଜୁ କରି ତୁରନ୍ତ  ଅଭିଯୁକ୍ତ ଭକ୍ତ ନାଏକକୁ ଅଟକ ରଖିଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.