୪ ଦିନ ପରେ ବି ପୋଲିସର ହାତ ଖାଲି, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଶତାଧିକ ଲୋକ

Published By : Prameya-News7 Bureau | April 05, 2021 IST

ଭଦ୍ରକ ୦୫।୦୪: ସଂକୀର୍ତ୍ତନ ବେଳେ ଜଣେ ବ୍ୟକ୍ତିଙ୍କୁ ସଙ୍ଗବଦ୍ଧ ଆକ୍ରମଣ ଘଟଣା । ମାମଲାକୁ ୪ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟଲୋକ । ନିକଟସ୍ଥ ଥାନାକୁ ରାସ୍ତା ବନ୍ଦ କରି ଧାରଣାରେ ବସିଲେ ଏକାଧିକ ମହିଳା ଓ ଗ୍ରାମବାସୀ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଫତେପୁର ଗାଁର ବଂଶୀଧର ପରିଡ଼ା ଘରକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଗାଁର କେତେକ ଲୋକ ସଂଗବଦ୍ଧ  ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ସଂଗବଦ୍ଧ ଆକ୍ରମଣରେ ବଂଶୀଧର ପରିଡ଼ା ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଆକ୍ରମଣକୁ ନେଇ ଉଭୟ ପକ୍ଷରୁ ଭଣ୍ଡାରୀପୋଖରୀ ଥାନା  ଏତଲା ଦିଆଯାଇଥିଲା । କିନ୍ତୁ ଘଟଣାକୁ ୪ଦିନ ବିତିଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ଭଣ୍ଡାରିପୋଖରୀ ଥାନାକୁ ଯୋଗାଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ । ଦୀର୍ଘ ସମୟ ପରେ ଭଣ୍ଡାରିପୋଖରୀ ପୋଲିସ ଅଭିଯୁକ୍ତଙ୍କୁ ୪୮ ଘଣ୍ଟାରେ ଗିରଫ କରିବା ପ୍ରତିଶୃତି ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.