ଆପାର୍ଟମେଣ୍ଟ ସୋସାଇଟିର ଅତ୍ୟାଚାର : କୋର୍ଟଙ୍କୁ ବେଖାତିର- କାଟି ଦେଲେ ପାଣି ଏବଂ ବିଜୁଳି, ଭୟରେ ଭଡାରେ ରହୁଛନ୍ତି ଘରମାଲିକ

Published By : Prameya-News7 Bureau | July 15, 2020 IST

ଭୁବନେଶ୍ୱର ୧୫।୦୭ : ମଧ୍ୟଯୁଗୀୟ ଖାପ୍‌ ପଞ୍ଚାୟତ ନିଷ୍ପତ୍ତିରେ ନିଆଁ ପାଣି ବାସନ୍ଦ ନିର୍ଯାତନା ଗାଁ ଗହଳିରେ କଦବା କ୍ୱଚିତ ଦେଖାଯାଏ । ହେଲେ ଚାକଚକ୍ୟ, ଆଭିଯାତ୍ୟ ଓ ଶିକ୍ଷିତ ବୋଲାଉଥିବା ରାଜଧାନୀବାସୀ ବି ଏହି କଟକଣାକୁ ଏବେ ନିରୀହଙ୍କ ଉପରେ ଅସ୍ତ୍ର ଭାବେ ପ୍ରୟୋଗ କରୁଛନ୍ତି । ପ୍ରାୟତଃ ଲୋପ ପାଇ ଯାଇଥିବା ଏହି ନିର୍ଯାତନାର ଅନ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀର ପ୍ରତିଷ୍ଠିତ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ । ସୋସାଇଟିକୁ ଚାନ୍ଦା ଦେବାରେ ଅସମର୍ଥ ହେବାରୁ ଏକ ପରିବାରକୁ ବିଜୁଳି, ପାଣି ବନ୍ଦ କରି ଦିଆଯାଇଛି । ଏଭଳି ନିର୍ଯାତନାରେ ଅତିଷ୍ଠ ହୋଇ ସଂପୃକ୍ତ ଫ୍ଲାଟ ମାଲିକ ସପରିବାର ବାଧ୍ୟ ହୋଇ ଘର ଛାଡ଼ି ପଳାଇଛନ୍ତି । ତାଙ୍କ ଫ୍ଲାଟ୍‌ରେ ବିଜୁଳି ପାଣି ସଂଯୋଗ କରିବାକୁ ଏକାଧିକ କୋର୍ଟ ନିର୍ଦ୍ଦେଶ ଦେଲେ ବି ସୋସାଇଟିକୁ କବଜା କରିଥିବା ଲୋକେ ମାନୁ ନାହାନ୍ତି।

ସଭ୍ୟ ସମାଜରେ ଏହି ଘୃଣ୍ୟ କଟକଣାର ଶିକାର ହୋଇଛନ୍ତି ପ୍ରଶାନ୍ତ ବେହେରା ନାମକ ବ୍ୟକ୍ତି । ବିବେକାନନ୍ଦ ମାର୍ଗସ୍ଥିତ ହରପ୍ରିୟା ଆପାର୍ଟମେଣ୍ଟରେ ଶ୍ରୀ ବେହେରା ୨୦୦୮ ମସିହାରୁ ଫ୍ଲାଟ୍‌ ନମ୍ବର ୧୦୨ କିଣି ସେଠାରେ ସପରିବାର ରହୁଥିଲେ । ରକ୍ଷଣାବେକ୍ଷଣ ଫି’ ନାମରେ ସୋସାଇଟି ତାଙ୍କ ଉପରେ ଧାର୍ଯ୍ୟ କରିଥିବା ଚାନ୍ଦାକୁ ସେ ନିୟମିତ ଦେଉଥିଲେ । ପ୍ରତିବଦଳରେ ରସିଦ ପାଉଥିଲେ । ତେବେ କିଛି ମାସ ତଳେ ସେ ଚାନ୍ଦା ଦେଇ ରସିଦ ମାଗିବାରେ ସଂପୃକ୍ତ ସୋସାଇଟି ପକ୍ଷରୁ ରସିଦ ଦିଆ ଯାଇନଥିଲା । ତେଣୁ ସେ ଏହାର ବିରୋଧ କରି ପରବର୍ତ୍ତୀ ମାସରେ ରସିଦ ନଦେଲେ ଫି’ ଦେବିନାହିଁ ବୋଲି କହିଥିଲେ । ସୋସାଇଟି ପରିଚାଳନା କରୁଥିବା ସଦସ୍ୟ ଏହାକୁ ଅସମ୍ମାନ ବୋଲି ମନେ କରି ପ୍ରଶାନ୍ତଙ୍କ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ । ଚାନ୍ଦା ନ ଦେବାରୁ ସଂପୃକ୍ତ ସଦସ୍ୟମାନେ ଫେବ୍ରୁଆରୀ ମାସରେ ତାଙ୍କ ଫ୍ଲାଟ୍‌ରୁ ବିଜୁଳି ଓ ପାଣି ସଂଯୋଗ କାଟି ଦେଇଥିଲେ । ଶ୍ରୀ ବେହେରା ପାଣି ଓ ଲାଇନ୍‌ ସଂଯୋଗ କରିବାକୁ ବହୁ କାକୁତିମୀନତି ହୋଇଥିଲେ । ରସିଦ ନ ମିଳୁ ପଛେ ବାକି ପଇସା ସବୁ ନେଇ ବିଜୁଳି ପାଣି ଦିଅ ନଚେତ୍‌ ମୋ ପିଲାଛୁଆ ମରିଯିବେ ବୋଲି ନେହୁରା ହୋଇଥିଲେ । କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିଲେ । ଅକଥନୀୟ ଅସୁବିଧାର ସମ୍ମୁଖୀନ ହୋଇ ଶ୍ରୀ ବେହେରା ଫ୍ଲାଟ୍‌ ଛାଡ଼ିବାକୁ ବାଧ୍ୟ ହେଲେ । ନିଜ ଘର ଥାଇ ଏବେ ଶ୍ରୀ ବେହେରା ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଘର ଭଡ଼ା ନେଇ ସେଠାରେ ନିର୍ବାସିତ ଜୀବନଯାପନ କରୁଛନ୍ତି ।

ଏହି ମେରିରାୟ କଟକଣା ବିରୋଧରେ ଶ୍ରୀ ବେହେରା ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଲେ । ସେ ଭୁବନେଶ୍ୱର ସିଭିଲ ଜଜ୍‌ଙ୍କ କୋର୍ଟରେ ଏହି ନିର୍ଯାତନା କାହାଣୀ ଥୋଇଲେ । ବିଚାରପତି ମାମଲା ନମ୍ବର ୬୦୦/୨୦୨୦(ଆଇଏ୦୧/୨୦୨୦)ର ବିଚାର କରି ମେ’ ମାସରେ ନିର୍ଦ୍ଦେଶ ଦେଲେ ଯେ, ଶ୍ରୀ ବେହେରା ବାକିଆ ଥିବା ୮୩ ହଜାର ୧୦୦ ଟଙ୍କା ଦେବେ । ସୋସାଇଟି ତାଙ୍କ ଫ୍ଲାଟ୍‌କୁ ବିଜୁଳି ଓ ପାଣି ଲାଇନ୍‌ ତୁରନ୍ତ ସଂଯୋଗ କରିବେ । ଏଥିସହିତ କୋର୍ଟ ବିଜୁଳି ସଂଯୋଗ ସୋସାଇଟି କାଟିବା ଅଧିକାର ଉପରେ ରୋକ ଲଗାଇଲେ । ତଦନୁଯାୟୀ ଶ୍ରୀ ବେହେରା କୋର୍ଟଙ୍କ ନିକଟରେ ବାକିଆ ଅର୍ଥ ୮୩,୧୦୦ ଟଙ୍କା ଡ୍ରାଫ୍ଟ ଆକାର ଦାଖଲ କଲେ । କିନ୍ତୁ ସୋସାଇଟି ଉକ୍ତ ଟଙ୍କାକୁ ଗ୍ରହଣ ନକରି ଉପର କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ଅପିଲ କୋର୍ଟ ମଧ୍ୟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଲେ । ଏହାସତ୍ତେ୍ୱ ତାଙ୍କ ଫ୍ଲାଟ୍‌କୁ ବିଜୁଳି କି ପାଣି ସଂଯୋଗ ଦେଲେନାହିଁ ।

ଘଟଣା ସମ୍ପର୍କରେ ହରପ୍ରିୟା ଆପାର୍ଟମେଣ୍ଟ ସୋସାଇଟିର ସମ୍ପାଦକ ଯଶବୀର କାଉରଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେ ପ୍ରଶାନ୍ତଙ୍କ ଫ୍ଲାଟରେ ବିଜୁଳି ଓ ପାଣି ବନ୍ଦ ଥିବା କଥାକୁ ସ୍ୱୀକାର କରିଥିଲେ । କମିଟି ନିଷ୍ପତ୍ତି ନେଲେ ବିଜୁଳି ଓ ପାଣି ସଂଯୋଗ ହେବ ବୋଲି କହିଥିଲେ । ତେବେ ସୋସାଇଟିର ସଭାପତି କୁହାଯାଉଥିବା ସତ୍ୟଜିତ୍‌ ପଣ୍ଡାଙ୍କୁ ପଚାରିବାରେ ସେ କହିଥିଲେ, ହଁ ଆମେ ବିଜୁଳି ପାଣି ସଂଯୋଗ ବନ୍ଦ କରିଛୁ । ଆମେ ପୁଣି ଉପର କୋର୍ଟକୁ ଯିବୁ । ଏପଟେ ରୋଜଗାର ନଥିବା ଶ୍ରୀ ବେହେରା ନିଜ ଘର ଥାଇ ବି ଚନ୍ଦ୍ରଶେଖରପୁରରେ ଭଡ଼ା ଗଣି ଗଣି ନୟାନ୍ତ ।

ପ୍ରସଙ୍ଗଯୋଗ୍ୟ, ନିକଟରେ କସ୍‌ମୋପଲିସ ଆପାର୍ଟମେଣ୍ଟର ଖାପ୍‌ ପଞ୍ଚାୟତରେ ୩ଜଣ ଫ୍ଲାଟ୍‌ ବାସିନ୍ଦାଙ୍କ ବିଜୁଳି, ପାଣି ଲାଇନ୍‌ କାଟିବାକୁ ନିଷ୍ପତ୍ତି ହୋଇଥିଲା । ସଂପୃକ୍ତ ୩ ବାସିନ୍ଦା ଏହି ନିଷ୍ପତ୍ତି ବିରୋଧରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ମାନବାଧିକାର ଏହି ଦରଖାସ୍ତ ବିଚାର କରି ତଥାକଥିତ ଖାପ୍‌ ପଞ୍ଚାୟତର ନିଷ୍ପତ୍ତିକୁ ଭର୍ତ୍ସନା କରିବା ସହିତ ଏଭଳି କାଣ୍ଡ ଅମାନବୀୟ ବୋଲି ଦର୍ଶାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.