Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇଆଇସି ଗିରଫ ପରେ ଜଟଣୀ ଥାନାର ଆହୁରି କିଛି ଅଧିକାରୀ ଖାଇବେ ତଡା

5/09/2018 at 2:56 PM

ଭୁବନେଶ୍ବର୫|୯; ଜଣେ ଲାଞ୍ଚୁଆ ଅଫିସର ଧରାପଡ଼ିଲେ । ଏବେ ଜଟଣୀ ଥାନାରୁ ବିଦା ହେବେ ଆହୁରି ଅନେକ ପୁରୁଣା ଅଧିକାରୀ ଆଉ କର୍ମଚାରୀ । ନିକଟରେ ଲାଂଚ କାରବାର ଅଭିଯୋଗରେ ଜଟଣୀ ଥାନାର ଆଇଆଇସି ଧରାପଡ଼ିବା ପରେ ଏମିତି କିଛି ନିଷ୍ପତି ନେଇଛନ୍ତି ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି । ତେବେ ଗଣେଶ ପୂଜା ପୂର୍ବରୁ ଜଟଣୀ ଥାନାରେ ଖାଲିପଡ଼ିଥିବା ଅଫିସର ପଦବୀ ପୂରଣ କରିବା ସହ ଦକ୍ଷ ଏବଂ ସଚ୍ଚୋଟ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ।
ହେଲେ ହଠାତ୍ ପୋଲିସ କମିଶନର ଜଟଣୀ ଥାନାରୁ ପୁରୁଣା କର୍ମଚାରୀଙ୍କୁ ବଦଳି କରିବାକୁ ନିଷ୍ପତି ନେଲେ କାହିଁକି ? କାହିଁକି ନା’ ଜଟଣୀ ଥାନାରେ ନିଜର ଆଡ୍ଡା ଜମାଇ ଦୁର୍ନୀତି କରୁଥିବା ଏକାଧିକ ଅଧିକାରୀ ଏବଂ କର୍ମଚାରୀଙ୍କ ଚରିତ୍ର ପଞ୍ଜୀକା ଏବେ ପୋଲିସ କମିଶନରଙ୍କ ପାଖରେ ପହଞ୍ଚିସାରିଛି । ପୁରୁଣା କର୍ମଚାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ପାଇଛନ୍ତି କମିଶନର ।
କମିଶନରେଟ୍ ପୋଲିସ ଅଧୀନରେ ରହିଛି ଜଟଣୀ ଥାନା । ପୂର୍ବ ପୋଲିସ ବ୍ୟବସ୍ଥା ଅପେକ୍ଷା ବର୍ତ୍ତମାନର ପୋଲିସ ବ୍ୟବସ୍ଥାରୁ ଅନେକ କିଛି ଆଶା କରୁଛନ୍ତି ସ୍ଥାନୀୟ ଜନସାଧାରଣ । ନିକଟରେ ଲାଂଚ କାରବାରରେ ଧରାପଡ଼ିଥିବା ଜଣେ ଆଇଆଇସିଙ୍କ କାରନାମା ପୋଲିସ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ଆଘାତ ଦେଇଛି । ଆଗକୁ ଗଣେଶ ପୂଜା । ଜଟଣୀରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏଭଳି ପରିସ୍ଥିତିରେ ଜଟଣୀ ଥାନାରେ ସଚ୍ଚୋଟ ଅଫିସରଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଜଟଣୀ ଥାନାରେ ଆବଶ୍ୟକ ସଂଖ୍ୟକ ପୋଲିସ ଅଫିସର ନଥିବା ସାଧାରଣରେ ଚିନ୍ତା ବଢ଼ାଇଛି । ଦୀର୍ଘ ଦିନ ହେବ ଥାନାରେ ଥିବା ଶିଶୁ ଓ ମହିଳା ଡେସ୍କରେ ମହିଳା ପୋଲିସ ଅଫିସର ପଦବୀ ଖାଲି ପଡ଼ିଛି । ଏଥି ସହ ୨ଜଣ ସବ୍ ଇନ୍ସ୍ପେକ୍ଟର, ଏବଂ ୨ଜଣ ଆସିଷ୍ଟାଣ୍ଟ ସବ୍ଇନ୍ସ୍ପେକ୍ଟର ପଦବୀ ପୂରଣ ହୋଇପାରିନାହିଁ । ଏମିତିରେ ଆଇଆଇସି ପଦବୀ ସମେତ ଖାଲି ପଡ଼ିଛି ମୋଟ ୬ ଅଫିସର ପଦବୀ । ଏହି ସବୁ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା ସହ ଦକ୍ଷ ଓ ସଚ୍ଚୋଟ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

   Related Posts