Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲିଫ୍କୁ ନେଇ କମୁନି ଟେନସନ୍ : କେଉଁଠି ବଣ୍ଟନରେ ଅବ୍ୟବସ୍ଥା ତ କେଉଁଠି ପହଞ୍ଚିପାରିନି ରିଲିଫ୍, ଘଣ୍ଟାଘଣ୍ଟା ଧରି ଲାଇନ୍‌ରେ ଠିଆ ହେଲେ ବି ହିତାଧିକାରୀ ପାଉନାହାନ୍ତି ସହାୟତା

9/05/2019 at 10:52 AM

ଭୁବନେଶ୍ବର ୯|୫: ରିଲିଫ୍‌କୁ ନେଇ ଟେନସନ୍‌ କମୁନି । କେଉଁଠି ରିଲିଫ୍‌ ବଣ୍ଟନରେ ଅବ୍ୟବସ୍ଥା ତ କେଉଁଠି ମୂଳରୁ ହିଁ ରିଲିଫ୍‌ ପହଞ୍ଚି ନାହିଁ । ଅନ୍ୟ କେଉଁଠି ଘଣ୍ଟାଘଣ୍ଟି ଧରି ହିତାଧିକାରୀ ଲାଇନ୍‌ରେ ଠିଆ ହେଲେ ବି ସହାୟତା ପାଉନାହାନ୍ତି । ତେଣୁ ଲୋକଙ୍କ ମଧ୍ୟରେ ନାହିଁନଥିବା ଅସନ୍ତୋଷ ଦେଖିବାକୁ ମିଳିଛି । ଆଉ ଏହି ଅସନ୍ତୋଷକୁ ଲୋକେ କେତେବେଳେ ରାସ୍ତାରୋକ କରି ଜାହିର କରୁଛନ୍ତି ତ ଆଉ କେତେବେଳେ ଭଙ୍ଗାରୁଜା କରି ।

କଣ ଲୋକଙ୍କ ଆସ୍ଥା ତୁଟୁଛି। କଣ ଲୋକେ ଧର୍ଯ୍ୟହରା ହେଉଛନ୍ତି। ନହେବେ ବା କେମିତି ବାତ୍ୟା ଫୋନି ଏମିତି ତ ସ୍ଥିତି କରିଛି। ୬ ଦିନି ବିତିଗଲାଣି । ହେଲେ ଲୋକଙ୍କ ଅବସ୍ଥାରେ ସେତେଟା ପରିବର୍ତ୍ତନ ଆସିନାହିଁ ।ଏହାକୁ ଏବେ ବଳିଯାଇଛି ସରକାରୀ ଅବ୍ୟବସ୍ଥା । ବିଶେଷକରି ରିଲିଫ୍‌ ବଣ୍ଟନର ଅବ୍ୟବସ୍ଥା ଲୋକଙ୍କ ଧର୍ଯ୍ୟହରା କରାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବର ବରମୁଣ୍ଡା ହାଇସ୍କୁଲ ରିଲିଫ ବଣ୍ଟନ କେନ୍ଦ୍ରର । ଏଠାରେ ଘଣ୍ଟା ଘଣ୍ଟା ଧରି ଠିଆ ହେଉଛନ୍ତି ହିତାଧିକାରୀ । ମହିଳା, ପୁରୁଷ, ଦିବ୍ୟାଙ୍ଗଙ୍କ ସହ ବୃଦ୍ଧ, ବୃଦ୍ଧା ସମସ୍ତେ ଗୋଟିଏ ଲାଇନରେ ।

ରିଲିଫ୍‌ ପାଇଁ ଲୋକଙ୍କ ମଧ୍ୟରେ ମାର ପିଟ୍ ବି ଲାଗି ଯାଉଛି  ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ଲୋକେ ବିପନ୍ନ ହୋଇପଡ଼ିଥିବା ବେଳେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ବଦଳରେ ରିଲିଫରେ ଟଙ୍କା ଦିଆଯାଉଛି। ସରକାର ଘୋଷଣା କରିଥିଲେ କାର୍ଡ ପିଛା ୫୦ କେଜି ଚାଉଳ ସହ ମିଳିବ ୨୫ଶହ ଟଙ୍କା । କିନ୍ତୁ ଲୋକଙ୍କୁ ଚାଉଳ ମିଳୁନି, କେବଳ ୨୫ ଶହ ଟଙ୍କା ଦେଇ ବିଦା କରିଦିଆଯାଉଛି । ଏଠି ପ୍ରଶ୍ନ ଉଠୁଛି କ୍ଷତିଗ୍ରସ୍ତକୁ ରିଲିଫ୍‌ ବଦଳରେ ଟଙ୍କା କାହିଁକି ଦିଆଯାଉଛି । ସେ ସଂପର୍କରେ ମଧ୍ୟ କାହା ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହିତାଧିକାରୀ ।

ଆଉ ଗୋଟିଏ ଅବ୍ୟବସ୍ଥାର ବଡ ନଜିର ଦେଖିବାକୁ ମିଳିଛି ସେହି ଭୁବନେଶ୍ବରରେ । ଘର ଉଡିଯାଇଥିବା ଲୋକଙ୍କୁ ସରକାର ପଲିଥିନ୍‌ ଯୋଗାଇ ଦେବାକଥା । ତା ବଦଳରେ ଲୋକଙ୍କୁ ୫ଶହ ଟଙ୍କା ଦିଆଯାଉଛି । ସେପଟେ କିନ୍ତୁ ବିଏମ୍‌ସିରେ ପଡି ରହିଛି ଥାକଥାକ ପଲିଥିନ୍‌ । ନା ସେଗୁଡିକ ବଣ୍ଟାଯାଉଛି ନା ସେଥିପାଇଁ ନିର୍ଦ୍ଦେଶ ଆସୁଛି ।

ଆଉ କେଉଁଠି ଚାଲିଛି ରାସ୍ତାରୋକ । ରିଲିଫ ନପହଞ୍ଚିବାରୁ ପିପିଲି-ନିମାପଡା ରାସ୍ତାର ଖିଲାରଠାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କ କହିବା କଥା ସେମାନଙ୍କୁ ବାତ୍ୟା ପରଠାରୁ ରିଲିଫ ମିଳିନାହିଁ କି କୌଣସି ମୌଳିକ ସୁବିଧା ସୁଯୋଗ ପାଇଁ କେହି ପଚାରି ବୁଝିନାହାନ୍ତି । ଲୋକେ ରିଲିଫ୍‌ ନପାଇ ତ ଯାହା ହଇରାଣ ହେଉଛନ୍ତି, ତା ସାଙ୍ଗକୁ ଏହି ସମୟରେ ଘରକୁ ଫେରୁଥିବା ଲୋକେ ମଝି ରାସ୍ତାରେ ଅଟକି ତାଠୁ ବଳି ହଇରାଣ ହରକତ ଭୋଗୁଛନ୍ତି ।

ରିଲିଫକୁ ନେଇ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେଉଁଠି ନା କେଉଁଠି ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଏହା ଆଗକୁ ବିସ୍ଫୋରକ ରୂପ ନେବାର ସମ୍ଭାବନା ରହିଛି ।

   Related Posts