କଟକରେ ଶିଳ୍ପପତି ଓ ପ୍ରଶାସନ ମଧ୍ୟରେ ବିବାଦ ଘନାଇବାରେ ଲାଗିଛି : ଉଭୟ ପକ୍ଷର ବୟାନ ରେକର୍ଡ କଲେ ଅତିରିକ୍ତ ପୋଲିସ କମିଶନର

Published By : Prameya-News7 Bureau | May 18, 2019 IST

କଟକ ୧୮|୫: କଟକରେ ଶିଳ୍ପପତି ଓ ପ୍ରଶାସନ ମଧ୍ୟରେ ବିବାଦ ଘନାଇବାରେ ଲାଗିଛି। ଜଗତପୁର ଠାରେ ପୁଲିସ୍ ଓ ଶିଳ୍ପପତି ବିବାଦର ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ ଏହାର ତଦନ୍ତ କରୁଥିବା ବେଳେ, ଶିଳ୍ପପତି ସଂଘର ପ୍ରତିନିଧୀମାନଙ୍କୁ ଡାକି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି।

{"id":113228}

କଟକ ଜିଲ୍ଲା ପ୍ରଶାସନ ଓ ଶିଳ୍ପପତିମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅତିରିକ୍ତ ପୁଲିସ କମିଶନର ସଞ୍ଜୟ ସିଂ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ କମିଶନରଙ୍କ କ୍ୟାମ୍ପ ଅଫିସରେ ସେ ବିଭିନ୍ନ ପକ୍ଷର ବୟାନ ରେକର୍ଡ କରିଛନ୍ତି। ତେବେ ଏହି ଘଟଣାକୁ ଗୁରୁତ୍ବର ସହ ତଦନ୍ତ କରାଯାଉଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

{"id":113229}

ସେପଟେ ନିଜ ଜିଦରେ ଅଟଳ ରହିଛନ୍ତି ଶିଳ୍ପପତିମାନେ । କଟକ ଡିସିପି ଅଖିଳେଶ୍ବର ସିଂ ଓ ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତାଙ୍କ ବଦଳି ଦାବି କରିଛନ୍ତି । ବାତ୍ୟା ଫୋନି ପରେ ଜଗତପୂର ଶିଳ୍ପାଞ୍ଚଳରେ  ବିଳମ୍ବରେ ବିଜୁଳି ସଂଯୋଗ ଦେବା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସଜଡାନଯିବା, ଏପରିକି ବାତ୍ୟା ପରେ ସ୍ଥିତି ପରଖିବା ପାଇଁ ଆସିଥିବା ଏମ୍ଏସ୍ଏମ୍ଇ ବିଭାଗ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା ପୁଲିସ ଲଗାଇ ଶିଳ୍ପପତିଙ୍କୁ ଆକ୍ରମଣ କରାଇଥିବା ଅଭିଯୋଗ ହୋଇଛି।

{"id":113230}

କଟକ ଡିସିପି ଅଖିଳେଶ୍ବର ସିଂଙ୍କ ନେତୃତ୍ବରେ ଶିଳ୍ପପତିଙ୍କ ନାଁରେ ମିଛ କେଶ ରୁଜୁ କରିବା ସହ ପୁଲିସ୍ ଏମାନଙ୍କୁ ବାଡେଇଥିବା ବି ଏମାନେ କହିଛନ୍ତି। ଏଭଳି ଘଟଣାର ପ୍ରତିବାଦରେ ଶିଳ୍ପ ସଂଘ ପ୍ରତିନିଧୀମାନେ କଳା ବ୍ୟାଚ୍ ପିନ୍ଧିବା ସହିତ ଆସନ୍ତା ସୋମବାରଠାରୁ ସବୁ ଜିଲ୍ଲାର ଶିଳ୍ପକେନ୍ଦ୍ରଗୁଡିକରେ ପ୍ରତିଦିନ  ଘଣ୍ଟିକିଆ ଧାରଣା ଦେବେ ବୋଲି ଏହାର ଅଧ୍ୟକ୍ଷ କହିଛନ୍ତି। ଏଥିରେ ରାଜ୍ୟର ସମସ୍ତ ଶିଳ୍ପ ସଂଘର ସମର୍ଥନ ରହିଥିବା ସେ ସୂଚନା ଦେଇଛନ୍ତି।

କଟକରେ କିଛି ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଆଉ କିଛି ଭୁବନେଶ୍ବରଠାରେ କରାଯିବ। ତେବେ ଏହି ବିବାଦ ଆଗକୁ କେଉଁ ମୋଡ୍ ନେବ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣା ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.