ସୀମାରେ ଉତ୍ତେଜନା ଜାରି : ସୈନ୍ୟ ଠୁଳ କରୁଛି ଚୀନ, ମୁକାବିଲା ଲାଗି ଅତ୍ୟାଧୁନିକ ଟି-୯୦ ଭୀଷ୍ମ ଟ୍ୟାଙ୍କ୍ ଓ ଆର୍ଟିଲେରି ଗନ୍ ପ୍ରସ୍ତୁତ ରଖିଛି ଭାରତ
27/06/2020 at 6:14 PM

ନୂଆଦିଲ୍ଲୀ ୨୭/୦୬ : ଲଦାଖର ଏଲ୍ ଏସି ପାଖ ଗଲୱାନ ଘାଟିରେ ଚୀନକୁ ଜବାବ ଦେବାକୁ ଭାରତର ପ୍ରସ୍ତୁତି । କାରଣ ଡ୍ରାଗନ୍ ପୁଣି ଥରେ ଧୋକା ଦେଇଛି । ଗତ ୧୫ ତାରିଖ ରାତିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ କମାଣ୍ଡର ସ୍ତରରେ ଓ କୂଟନୈତିକ ସ୍ତରରେ ଆଲୋଚନା ପରେ ଚୀନ୍ ସେନା ପ୍ରାୟ ୧ କି.ମି. ପଛକୁ ହଟିଥିଲା । କିନ୍ତୁ ସାଟେଲାଇଟ୍ ଚିତ୍ରରୁ ଦେଖିବାକୁ ମିଳିଛି, ଚୀନ୍ ସେନା ସାମାନ୍ୟ ପଛକୁ ହଟିଥିଲେ ମଧ୍ୟ ସେଠାକାର ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରିବାରେ ଲାଗିଛି । ସେଠାରେ ନୂଆ ସାମରିକ ଭିତ୍ତିଭୂମି ନିର୍ମାଣ କରିବାରେ ଲାଗିଛି । ଭାରତ ବି ସୀମାରେ ଅଧିକରୁ ଅଧିକ ସୈନ୍ୟ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜାଗ ଅଛି । …..

ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢୁଛି ସିନା କମୁନି । ବର୍ଡରରେ ଏବେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଚୀନ ଗଲୱାନ୍ ନିକଟରେ ସାମାନ୍ୟ ପଛକୁ ଘୁଞ୍ଚିଥିଲେ ବି ବିଭିନ୍ନ ସ୍ଥାନରେ ସୈନ୍ୟ ଠୁଳ କରିବାରେ ଲାଗିଛି । ବିଶେଷକରି ପାଂଗଙ୍ଗ ଲେକ୍, ଗଲୱାନ୍ ନଦୀ , ଓ ହଟ୍ସ୍ପ୍ରିଙ୍ଗର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିଛି ଚୀନ୍ । ସେଠାରେ ନୂଆ ସାମରିକ ଭିତ୍ତିଭୂମୀ ନିର୍ମାଣରେ ଲାଗିଛି । ୧୦ ହଜାରରେ ଅଧିକ ସୈନ୍ୟ ମୁତୟନ କରିଛି । ଆର୍ଟିଲେରୀ ଗନ୍ ଓ ଟ୍ୟାଙ୍କ ନିୟୋଜିତ କରିଛି । ଭାରତ ମଧ୍ୟ ଏହାର ଏହାର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଛି । ଲଦାଖରେ ଅତିରିକ୍ତ ୩ ଡିଭିଜନ ପାଖାପାଖି ୩୦ ହଜାର ସୈନ୍ୟ ମୁତୟନ କରିଛି । ଆହୁରି ଅଧିକ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି । ଭାରତୀୟ ସେନା ଅତ୍ୟାଧୁନିକ ଟି-୯୦ ଭିସ୍ମ ଟ୍ୟାଙ୍କ ଓ ଆର୍ଟିଲେରି ଗନ୍ ସହ ନିୟୋଜିତ କରିଛି । ପୂର୍ବ ଲଦାଖରେ ଲଦାଖ ସ୍କାଉଟ୍ ଓ ଆଇଟିବିପି ଯବାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀୱନ୍ କୌଣସି ହରକତ୍ କଲେ ଭାରତ ଏହାର କଡା ଜବାବ ଦେବ ।

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଲଦାଖରେ ନିୟମିତ ପାଟ୍ରୋଲିଂ ଜାରି ରଖିଛନ୍ତି । ଲେହରେ ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ମିଳିତ ଯୁଦ୍ଧାଭ୍ୟାସ କରିଛନ୍ତି । ବାୟୁସେନାର ସୁଖୋଇ-୩୦ ଏମକେଆଇ, ଚିନୁକ୍ ହେଲିକପ୍ଟର ଏବଂ ହରକ୍ୟୁଲେସ ପରି ସାମରିକ ପରିବହନ ବିମାନ ଏଥିରେ ଭାଗ ନେଇଥିଲେ । ଉଭୟ ବାହିନୀ ଭିତରେ ସମନ୍ବୟ ରଖିବା ଲକ୍ଷ୍ୟରେ ଏପରି କରାଯାଇଛି । ସୀମା ସ୍ଥିତି ସଂପର୍କରେ ସେନା ମୁଖ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି

ସେପଟେ ଚୀନ୍ ଆଡ଼କୁ ମୁହାଁଇଛି ଆମେରିକା ସେନା । ଜର୍ମାନୀ ଓ ୟୁରୋପରେ ମୁତୟନ ଥିବା ତାର ସେନାକୁ ଆମେରିକା ପ୍ରତ୍ୟାହାର କରି ଚୀନ ଆଡକୁ ପଠାଇଛି । ପ୍ରଶାନ୍ତ ମହାସାଗରରେ ଆମେରିକା ୩ ଟି ଏୟାରକ୍ରାଫ୍ଟ କ୍ୟାରିଅର ସହ କିଛି ଯୁଦ୍ଧ ଯାହଜକୁ ନିୟୋଜିତ କରାଇଛି । ଚୀନର ଘୋର ବିରୋଧୀ ଭାବେ ଜଣାଶୁଣା ଆମେରିକା ଭାରତ-ଚୀନ ବିବାଦକୁ ଏକ ସୁଯୋଗ ଭାବେ ବିବେଚନା କରି ଏତିକି ବେଳେ ଚୀନ୍ କୁ ପାନେ ଦେବା ଚକ୍କରରେ ରହିଛି । ଚୀନ ଆଡ଼ୁ ଭାରତ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ର ଗୁଡ଼ିକ ପ୍ରତି ଥିବା ବିପଦର ମୁକାବିଲା ପାଇଁ ଆମେରିକା ଏଭଳି କରୁଥିବା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ସୂଚନା ଦେଇଛନ୍ତି । ସେହିଭଳି ଆମେରିକାର ପ୍ରଭାବଶାଳୀ ନେତା ଟେଡ୍ ୟୋହୁ ଟ୍ବିଟ୍ କରି କହିଛନ୍ତି ଦକ୍ଷିଣ ଏସିଆରେ ପଡୋଶୀ ଦେଶଙ୍କ ପ୍ରତି ଚୀନର ଆକ୍ରାମକ ସ୍ଥିତିକୁ ଆମେରିକା ବରଦାସ୍ତ କରିବ ନାହିଁ । ସେପଟେ ଦେଶରେ ଚୀନ୍ ସାମଗ୍ରୀ ବର୍ଜନକୁ ନେଇ ଜୋରଦାର ଅଭିଯାନ ଜାରି ରହିଛି । ଦିଲ୍ଲୀରେ ଆଜି ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା