ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | August 05, 2020 IST

ବଲାଙ୍ଗୀର ୫।୮: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପୁଣି ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ସଇଁନ୍ତଳା ବ୍ରାହ୍ମଣୀ ଗାଁର ୬୫ବର୍ଷ ବୟସ୍କ ଚନ୍ଦ୍ରମଣୀ ବେହେରାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କ ଛାତିରେ କିଛି ଅସୁବିଧା ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯିବ ବୋଲି ବଲାଙ୍ଗୀର ବିବିଏମସି ହସ୍ପିଟାଲକୁ ପଠାଇଥିଲେ ।

ହସ୍ପିଟାଲ ପହଞ୍ଚିବା ପରେ ପ୍ରଥମେ ତାଙ୍କ କରୋନା ଟେଷ୍ଟ କରାଯିବା ପରେ ଚିକିତ୍ସା କରାଯିବ  କହି ତାଙ୍କ ଏଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଥିବା କରୋନା ଆଇସୋଲେସନ ଓ୍ବାର୍ଡକୁ ପଠାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା କରାଯିବା ସହ ତାଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପରିବାର ଲୋକ ତାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ବେଳେ ତାଙ୍କୁ କରୋନା ନହୋଇ ମଧ୍ୟ କରୋନା ଓ୍ବାର୍ଡ ରଖାଯାଇଥିଲା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

ସେପଟେ ଏନେଇ ଗତକାଲି ରାତି ତମାମ ମୃତଦେହ ପାଖରେ ତାଙ୍କ ପୁଅ ଓ ଝିଅ ରହିବା ସହ ଆଜି ଉପ ଜିଲ୍ଲାପାଳ, ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ବୁଝା ସୁଝା ସହ ସରକାରଙ୍କ ପକ୍ଷରୁ କିଛି କ୍ଷତିପୁରଣ ଦେବା ପରେ ଶବକୁ ନେଇ ଘରକୁ ଯାଇଥିଲେ ପରିବାର ଲୋକ । ସେପଟେ ରୋଗୀଙ୍କୁ ନିମୋନିଆ ହୋଇଥିବା ବେଳେ ତାଙ୍କ ରକ୍ତଚାପ ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ । ତେବେ ଏନେଇ ଯେଉଁମାନେ ଏ ଘଟଣାରେ ସମ୍ପୃକ୍ତ ଅଛନ୍ତି କିମ୍ବା ତାଙ୍କ ଭୁଲ ରହିଛି ତେବେ ତାହା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.