ତୃତୀୟ ଦିନରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ, ଭଡାଟିଆ ଓ କର୍ମଜୀବୀଙ୍କୁ ଦର୍ଶନ ସୁଯୋଗ

Published By : Prameya-News7 Bureau | December 28, 2020 IST

ପୁରୀ ୨୮।୧୨: ତୃତୀୟ ଦିନରେ ଚାଲିଛି ଜଗା ଦର୍ଶନ । ଗତ ୨୬ ତାରିଖଠାରୁ ପୁରୀବାସୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୱାର୍ଡ ୱାରୀ ପୁରୀବାସୀ କରୋନା କଟକଣା ଭିତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ତିନୋଟି ଦଫାରେ ପ୍ରତ୍ୟେକ ୱାର୍ଡବାସୀଙ୍କୁ ଚାରିଘଣ୍ଟା ଦର୍ଶନ କରିବାର ସୁଯୋଗ ମିଳୁଛି ।

ସୋମବାର ପୁରୀ ସହରର ୧୦,୧୯,୮,୫,୨୧ ନମ୍ବର ୱାର୍ଡବାସୀ ଦର୍ଶନ କରିବେ । ସକାଳ ୮ ଟାରୁ ୧୨ଟା ପର୍ଯ୍ୟନ୍ତ ୧୦ ଓ ୧୯ ନମ୍ବର ୱାର୍ଡବାସୀ, ୧୨ଟା୩୦ ରୁ ୪ଟା୩୦ ପର୍ଯ୍ୟନ୍ତ ୨୧ ଓ ୮ ନମ୍ବର ୱାର୍ଡବାସୀ ଓ ସଂଧ୍ୟା ୫ଟାରୁ ମହାପ୍ରଭୁଙ୍କ ପହୁଡ ହେବା ପର୍ଯ୍ୟନ୍ତ କେବଳ ୫ ନମ୍ବର ୱାର୍ଡବାସୀ ଦର୍ଶନ କରିବେ । ତେବେ ଯେଉଁମାନେ ପୁରୀ ସହରରେ ଭଡା ରହୁଥିବେ ଓ କର୍ମଜୀବୀ ଭାବେ କାର୍ଯ୍ୟ କରୁଥିବେ ସେମାନଙ୍କୁ ମଧ୍ୟ ଦର୍ଶନର ସୁଯୋଗ ଦିଆଯିବ ।

ସମସ୍ତ ପୁରୀବାସୀ ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ। ସମସ୍ତେ ପୌରସଂସ୍ଥା ଦ୍ବାରା ଦିଆଯାଇଥିବା ଟୋକନ୍ ସାଙ୍ଗରେ ଆଣିବା ସହ ପରିଚୟପତ୍ର ମଧ୍ୟ ସାଙ୍ଗରେ ଆଣିବେ । ଏଥିସହ ଦର୍ଶନ ପାଇଁ କିଛି କଟକଣା ମଧ୍ୟ କରାଯାଇଛି । କୌଣସି ଭକ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ତୁଳସୀ ନେବେ ନାହିଁ ଓ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରିପାରିବେ ନାହିଁ ।

ଏହାଛଡା ଶ୍ରୀମନ୍ଦିର ଭିତରେ କୌଣସି ପ୍ରତିମାଙ୍କୁ ସ୍ପର୍ଶ କରିବେ ନାହିଁ କି ଦୀପ ମଧ୍ୟ ଜାଳି ପାରିବେ ନାହିଁ ଓ ପାନ କି ଗୁଟଖା ଖାଇ ଛେପ ପକାଇବେ ନାହିଁ । ସମସ୍ତ ଭକ୍ତ ମାର୍କେଟ ଛକଠାରୁ ବ୍ୟାରିକେଡ୍ ମାଧ୍ୟମରେ ଲାଇନ୍ ରେ ପରିଚୟପତ୍ର ଦେଖାଇବା ସହ ହୋଇଥିବା ୮ଟି କିଓସ୍କୋରେ ପୁର୍ନବାର ପରିଚୟପତ୍ର ଦେଖାଇ ଫଟୋଗ୍ରାଫି କରିବେ । ତେବେ ଦୀର୍ଘମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ସମସ୍ତ ଭକ୍ତ ବେଶ୍ ଆନନ୍ଦିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.